ଖଲିକୋଟ ଘାଟିରେ ୫୫ କିଲୋଗ୍ରାମ ଗଞ୍ଜେଇ ଜବତ, ୬ ଗିରଫ…

add-all

ବ୍ରହ୍ମପୁର :କନ୍ଧମାଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଖଲିକୋଟ ଘାଟି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି। ୫୫ କିଲୋଗ୍ରାମ ଗଞ୍ଜେଇ ସହିତ ତିନୋଟି ଚାରି ଚକିଆ ଯାନ, ଗୋଟିଏ ବାଇକ୍ ଏବଂ ଆଠଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳର ତିନିଜଣ ଏବଂ କନ୍ଧମାଳ ଅଞ୍ଚଳର ତିନିଜଣ ସାମିଲ ଅଛନ୍ତି। ଅବକାରୀ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, କନ୍ଧମାଳରୁ ଗିରଫ ହୋଇଥିବା ଦୁଇଜଣ ପେଶାଗତ ଗଞ୍ଜେଇ ଚାଲାଣକାରୀ ଅଟନ୍ତି। ଏହି ଗଞ୍ଜେଇ ବିହାର ଓ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ଅଭିଯୁକ୍ତମାନେ ଯୋଜନା କରିଥିଲେ।

ଜବତ ହୋଇଥିବା ମୋବାଇଲ୍ ଫୋନ୍‌ରୁ ଗଞ୍ଜେଇ ମାଫିଆଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ବ୍ରହ୍ମପୁର ଏବଂ କୋଦଳା ଅଞ୍ଚଳର କିଛି ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ମଧ୍ୟ ଜଣାପଡିଛି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୃତିକାନ୍ତ ରାଉତ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି।

ad-week
Leave A Reply

Your email address will not be published.