କେନ୍ଦୁଝରର ୧୩ ବ୍ଲକରେ ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥ ଗଡ଼ିଲା

youtube

ଭୁବନେଶ୍ୱର/କେନ୍ଦୁଝର: “ସମୃଦ୍ଧ ଓଡିଶା, ବିକଶିତ ଓଡ଼ିଶା” ର ପ୍ରତିଶ୍ରୁତିକୁ ଆଗକୁ ବଢାଇ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ “ଜିରୋ ଆକ୍ସିଡେଣ୍ଟ ଡେ” ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ ଆହ୍ୱାନ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ ଟି ବ୍ଲକରେ ସଡକ ସୁରକ୍ଷା ସଚେତନତା ତଥା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥର ଶୁଭାରମ୍ଭ କରିଥିଲେ ଓ ସିଗନେଚର୍‌ କ୍ୟାମ୍ପେନକୁ ଉଦ୍‌ଘାଟନ କରିଥିଲେ। ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁରକ୍ଷା କେବଳ ସରକାରଙ୍କର ଦାୟିତ୍ବ ନୁହେଁ। ଏଥି ପ୍ରତି ସଚେତନ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କର ସାମୂହିକ ଦାୟିତ୍ବ। ଭୁବନେଶ୍ବରରେ ଶୂନ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି। ଆମର ଲକ୍ଷ୍ୟ ହେବ, ଶୂନ ଦୁର୍ଘଟଣା ଦିବସ ସଚେତନତା ବାର୍ତ୍ତାକୁ ପ୍ରତି ସହର, ଗାଁ ଏପରିକି ଘରେ ଘରେ ପହଞ୍ଚାଇବା। ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା। ସମସ୍ତ କ୍ଷେତ୍ରରେ ସତର୍କତା ହିଁ ଆମକୁ ଏସବୁ ଦୁର୍ଘଟଣାରୁ ବଞ୍ଚେଇ ପାରିବ। କେନ୍ଦୁଝର ଜିଲ୍ଲା ହେଉଛି ଏକ ଖଣିବହୁଳ ଅଞ୍ଚଳ। ଦିନରାତି ଏଠାରେ ଖଣିଜ ପଦାର୍ଥ ପରିବହନ ହୋଇଥାଏ। ଏଠାରୁ ପ୍ରତିଦିନ ସହସ୍ର ସଂଖ୍ୟକ ଟ୍ରକ୍, ଲୋଡର୍, ଭାରୀ ଯାନବାହାନ ଯାତାୟାତ କରୁଛି । ଏହା ଅଞ୍ଚଳର ଅର୍ଥନୀତିକୁ ସଚଳ କରୁଛି, କିନ୍ତୁ ଏହା ସହିତ ସଡ଼କ ସୁରକ୍ଷା ପାଇଁ ଏକ ବିଶେଷ ଚାଲେଞ୍ଜ ମଧ୍ୟ ହୋଇ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କୁ ଯାତାୟତ ସମୟରେ ସଡକ ସୁରକ୍ଷା ନିୟମାବଳୀ ମାନିବା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ଆହୁରି ମଧ୍ୟ ସେ କହିଛନ୍ତି ଆମେ ଶୂନ ଦୁର୍ଘଟଣା ଦିବସ ପାଳନ କରୁଛେ। ଏହା ଏପରି ଏକ ପଦକ୍ଷେପ ଯାହା ଆମର ସାମୂହିକ ଦାୟିତ୍ଵବୋଧ କୁ ପ୍ରଦର୍ଶନ କରୁଛି। ଖଣି ଓ ଶିଳ୍ପ କ୍ଷେତ୍ର ସହିତ ସଂଲଗ୍ନ ସମସ୍ତ କମ୍ପାନୀ, ଡ୍ରାଇଭର୍, କର୍ମଚାରୀ ମାନଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦିଅନ୍ତୁ । ଭାରୀ ଯାନବାହାନ ଗୁଡିକର ନିୟମିତ ମେଣ୍ଟେନାନ୍ସ, ଡ୍ରାଇଭର ମାନଙ୍କୁ ପ୍ରଶିକ୍ଷଣ କୁ ଗୁରୁତ୍ୱ ଦିଅନ୍ତୁ। ଏହି ସବୁକିଛି କୁ କଡ଼ାକଡ଼ି ଭାବରେ ପାଳନ କରିଲେ ଅନେକ ଦୁର୍ଘଟଣାକୁ ରୋକାଯାଇ ପାରିବ । ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ଘସିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ଼, ପାଟଣା ବିଧାୟକ ଶ୍ରୀ ଅଖିଳ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାୟକ, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନ୍ୟୁ ସେଠୀ, ପୋଲିସ ଡ଼ି.ଜି. ଶ୍ରୀ. ଯୋଗେଶ ବହାଦୁର ଖୁରାନିଆ, ଏସ.ଟି.ଏ କମିଶନର ଶ୍ରୀ ଅମିତାଭ ଠାକୁର, ଡ଼ି.ଆଇ.ଜି ଶ୍ରୀ ବ୍ରିଜେଶ ରାୟ ଓ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.