ନେପାଳରୁ ହଟିଲା କର୍ଫ୍ୟୁ: ଖୋଲିଲା ଦୋକାନ ଓ ମଲ୍

youtube

କାଠମାଣ୍ଡୁ : ନେପାଳରେ ଧିରେ ଧିରେ ଶାନ୍ତି ଫେରୁଛି । ଆଜି ରାଜଧାନୀ କାଠମାଣ୍ଡୁରେ ଲାଗୁ ହୋଇଥିବା କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଅନ୍ତରୀଣ ସରକାର ଗଠନ ହେବା ପରେ, ସୁରକ୍ଷା ବାହିନୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । କର୍ଫ୍ୟୁ ହଟାଯିବା ପରେ ଜେନ-ଜି ଦେଶରେ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି । ରାସ୍ତା ଏବଂ ଡିଭାଇଡରକୁ ରଙ୍ଗ ଲଗେଇବା କାମ ଆରମ୍ଭ କରିଛନ୍ତି ।

ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ ସରକାରର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଗତକାଲି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । କର୍ଫ୍ୟୁ ହଟିବା ପରେ କାଠମାଉଣ୍ଡୁ ଘାଟିରୁ ଆରମ୍ଭ କରି ଅନ୍ୟ ଅଞ୍ଚଳରେ ଜୀବନ ଧୀରେ ଧୀରେ ସାମାନ୍ୟ ହେଉଛି । ନେପାଳରେ ଦୋକାନ, ପରିବା ମାର୍କେଟ, ସର୍ପିଂ ମଲ୍ ଇତ୍ୟାଦି ଖୋଲିବା ଆରମ୍ଭ କରିଛି । ରାସ୍ତାରେ ସାଧାରଣ ନାଗରିକ ଯିବାଆସିବା କରୁଛନ୍ତି । ପ୍ରମୁଖ ସରକାରୀ ବିଲିଡିଂର ଅନେକ ସ୍ଥାନରେ ସଫେଇ ଅଭିଯାନ ଚାଲିଛି ।

ପୋଲିସର ସୂଚନା ଅନୁଯାୟୀ, ନେପାଳ ପ୍ରତିବାଦରେ ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି । ଏଥିରେ ୨୧ ଜଣ ବିକ୍ଷୋଭକାରୀ ୯ ଜଣ କଏଦୀ, ୩ ଜଣ ପୋଲିସ କର୍ମଚାରୀ ଏବଂ ୧୮ ଜଣ ଅନ୍ୟ ଲୋକ ସାମିଲ ଅଛନ୍ତି । ନେପାଳ ପୋଲିସ ସାରା ଦେଶରେ ହିଂସା, ପୋଡ଼ାଜଳା ଏବଂ ଲୁଟପାଟ ଘଟଣା ସମ୍ପର୍କରେ ଜନସାଧାରଣଙ୍କୁ ସହଯୋଗ ପାଇଁ ନିବେଦନ କରିଛି ।

ସୂଚନାଯୋଗ୍ୟ, ନେପାଳରେ ସୋସିଆଲ ମିଡିଆ ବ୍ୟାନ ପରେ Gen-Z ବିକ୍ଷୋଭକାରୀ ହିଂସା ଘଟାଇଥିଲେ । ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ପରେ ମଧ୍ୟ ହିଂସା ବନ୍ଦ ହୋଇନଥିଲା ଏବଂ ପ୍ରଦର୍ଶନକାରୀମାନେ ସଂସଦ ଭବନ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ, ରାଜନୈତିକ ଦଳର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।

Leave A Reply

Your email address will not be published.