
ହିଞ୍ଜିଳିକାଟୁ: ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦୁଇ ସହପାଠୀ ମଧ୍ୟରେ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ୍ ଓ ବେଲଗାଁ ଥାନା ଗଣ୍ଡଳା ସରକାରୀ ସ୍କୁଲରେ ବୁଧବାର ଦିନ ଶ୍ରେଣୀକକ୍ଷରେ ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ତାଙ୍କ ସହପାଠୀ କୌଣସି ଧାରୁଆ ସମାଗ୍ରୀରେ ଆକ୍ରମଣ କରିଛି । ଆହତ ଛାତ୍ର ବିପଦମୁକ୍ତ ଥିବା ବେଳେ ପୀଡ଼ିତ ଛାତ୍ରଙ୍କ ପେଟ,ଜଂଘ ଓ ହାତରେ ଆହତ ଲାଗିଛି ।
ଖବର ମୁତାବକ ଗତ ବୁଧବାର ପ୍ରାର୍ଥନା ପରେ ପିଲାମାନେ ଶ୍ରେଣୀକକ୍ଷକୁ ଯାଇଥିଲେ । ସେଦିନ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସ୍ମେଣ୍ଟ୍ ଥିବାରୁ ଶିକ୍ଷକଶିକ୍ଷୟିତ୍ରୀମାନେ ବ୍ୟସ୍ତ ରହିଥିଲେ । ଦଶମ ଶ୍ରେଣୀ କକ୍ଷରେ ପଳାସି ଗ୍ରାମର ଜଣେ ଛାତ୍ର ଓ ଶିଖରପୁରର ଅନ୍ୟଜଣେ ଛାତ୍ରଙ୍କ ମଧ୍ୟରେ ବସିବା ଜାଗାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପଳାସର ଛାତ୍ର ଜଣକ ପ୍ରାୟ ବିଦ୍ୟାଳୟକୁ ଆସୁନଥିବାରୁ ଅନ୍ୟ ଛାତ୍ର ଜଣକ ତାଙ୍କ ବେଞ୍ଚରେ ବସୁଥିଲେ । ପଳାସିର ଛାତ୍ର ଜଣକ ଉତ୍କ୍ଷିପ୍ତ ହୋଇ କମ୍ପାସ୍ ବକ୍ସରୁ ଏକ ଧାରୁଆ ସମାଗ୍ରୀ ବାହାର କରି ସହପାଠୀଙ୍କୁ ଆକ୍ରମଣ କରିଥିଲା । ପୀଡ଼ିତ ଛାତ୍ର ବି ଆକ୍ରମଣ କରିଥିବା ଛାତ୍ରଙ୍କ ପାଟିରେ ଧାରୁଆ ଅସ୍ତ୍ର ପୂରାଇଦେବାରୁ ସେ ମଧ୍ୟ ଆହତ ହୋଇଥିଲେ । ବେଲଗାଁ ଥାନା ର କୌଣସି ଅଭିଯୋଗ ହୋଇନଥିବା ବେଳେ ଅନ୍ୟ ପଟେ ଶିକ୍ଷକ,ଶିକ୍ଷୟିତ୍ରୀ,ଦୁଇ ପରିବାର ଓ ଭଦ୍ର ବ୍ୟକ୍ତି ମାନେ ବିଦ୍ୟାଳୟ ରେ ବସି ଆପୋଷ ବୁଝାମଣା ହୋଇ ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି ।