
ସମ୍ବଲପୁର: ଗୁଣିଗାରେଡ଼ି ମାୟାରୁ ବାହାରିପାରୁନି ମଣିଷ । ଗୁଣିଗାରେଡ଼ି ସନ୍ଦେହରେ ଶାଶୁ ବୋହୁଙ୍କୁ ପ୍ରବଳ ମାଡ଼ । ଡାହାଣୀ କହି ଶାଶୁ ବୋହୁକୁ ବାସନ୍ଦ କଲେ ଗାଁ ଲୋକେ । ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବଲରଙ୍ଗା ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଗୋଟିଏ ପରିବାରର ଶାଶୁ ବୋହୂଙ୍କୁ ଗୁଣି ଗାରେଡି କରୁଥିବା ସହ ଡାହାଣୀ କହି ଗାଁରେ ଅପମାନିତ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
୬ ସେପ୍ଟେମ୍ବରରେ ଅରୁଣ ଓ ସସ୍ମିତା ଉଭୟ ସ୍ବାମୀ ସ୍ତ୍ରୀ ଗାଁରେ କୃଷ୍ଣ ଗୁରୁ ପୂଜା ଚାଲିଥିବା ସମୟରେ ବରୁଆ ଆସିଥିଲେ । ଯାହାକୁ ନେଇ ଗ୍ରାମବାସୀମାନେ ଉଭୟେ ସୁଳାପି ବାଗ ଓ ବୋହୂ ବିସାଖାଙ୍କୁ ଡାହାଣୀ ବିଦ୍ୟା ଶିଖିଛନ୍ତି ବୋଲି କହିଥିଲେ । ଗାଁରେ ୪ ପରିବାରକୁ କ୍ଷତି କରିବା ପାଇଁ ଯୋଜନା କରୁଥିବା ପ୍ରଚାର କରିଥିଲେ ଗ୍ରାମବାସୀ ।
ଏହା ଜାଣିବା ପରେ ଗାଁର ଲୋକମାନେ ଉଭୟ ଶାଶୁ ଓ ବୋହୁଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଯାହାକୁ ନେଇ ଗାଁରେ ଦେଖା ଦେଇଥିଲା ପ୍ରବଳ ଉତ୍ତେଜନା । ସେପଟେ ଉଭୟ ଶାଶୁ ବହୁ ଭୟଭୀତ ହୋଇ ଘର ଭିତରେ ଲୁଚି ରହୁଛନ୍ତି । କେହି ଏମାନଙ୍କ ସହ ମିଳାମିଶା ବି କରୁନାହାନ୍ତି । ଧୀରେ ଧୀରେ ସମସ୍ତେ କଥାବାର୍ତ୍ତା କରିବା ବନ୍ଦ କରିଦେଲେ । ଶାଶୁ ବୋହୁ ଲଜ୍ୟାରେ ଘରୁ ଆଉ ବାହାରକୁ ବାହାରୁନାହାନ୍ତି ।
ବାହାରକୁ ବାହାରିଲେ ଲୋକେ ମାଡ଼ ମାରିବେ ବୋଲି ଭୟରେ ଘରେ ରହୁଛନ୍ତି । ଘଟଣାକୁ ନେଇ କିଛି ସମାଜସେବୀ ଖବର ପାଇ ଏନେଇ ଧମା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଏଭଳି ଅନ୍ଧ ବିଶ୍ୱାସ ବଞ୍ଚି ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।