
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ନୋଡାଲ ବାଳିକା ଉଚ୍ଚବିଦ୍ୟାଳୟରେ, ଜିଲ୍ଲାର ବରିଷ୍ଠ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡାଙ୍କ ତତ୍ବାବଧାନରେ, ମହାସମାରୋହରେ ‘ବିଶ୍ବ ହିନ୍ଦୀ ଦିବସ’ ପାଳିତ ହୋଇଯାଇଛି। ‘କାର୍ଯ୍ୟକ୍ରମର ଶୁଭାରମ୍ଭ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ,ପ୍ରଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ ଓ ମନ୍ତ୍ର ପାଠ ସହିତ ଆରମ୍ଭ କରାଯାଇଥିଲା। ଉକ୍ତ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଭାପତି,ଏଜି ଓଡ଼ିଶା ଅଡିଟ ଏବଂ ଆକାଉଣ୍ଟସର ହିନ୍ଦୀ ଅଧିକାରୀ ରବୀନ୍ଦ୍ରନାଥ ଚାନ୍ଦ ମୁଖ୍ୟ ବକ୍ତା, ସାମ୍ବାଦିକ ଏବଂ ଶିକ୍ଷାବିତ୍ ଶିବ ପ୍ରସାଦ କୀର୍ତ୍ତନିୟା, ବରିଷ୍ଠ ହିନ୍ଦୀ ଶିକ୍ଷକ ମାନସ ରଞ୍ଜନ ନାୟକ ଏବଂ ମାଲକାନଗିରି ହିନ୍ଦୀ ଶିକ୍ଷକ ସଂଘର ସଭାପତି ଶଙ୍କର କୁଞ୍ଜାମି ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ଭାରତ ତଥା ସମଗ୍ର ବିଶ୍ବରେ, ଭାରତର ରାଜଭାଷା ହିନ୍ଦୀର ମହତ୍ତ୍ଵ ବିଷୟରେ ଅବଗତ କରାଇବା ସଙ୍ଗେସଙ୍ଗେ, ଭାରତର ଏକତା ଓ ଅଖଣ୍ଡତା ପାଇଁ ହିନ୍ଦୀ ଭାଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷା ଓଡ଼ିଆ ସହିତ ହିନ୍ଦୀ ଭାଷାକୁ ମଧ୍ୟ ସମାନ ଗୁରୁତ୍ଵର ସହିତ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ଚାନ୍ଦ ହିନ୍ଦୀ ଦିବସ କାହିଁକି ପାଳନ କରାଯାଏ ଏବଂ କିପରି ଭାବରେ ଶିକ୍ଷା ଦାନ କଲେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସହଜରେ ହିନ୍ଦୀ ଶିଖାଇ ହେବ, ସେହି ବିଷୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭ କରିଥିବା ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର, ବରିଷ୍ଟ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡା ଓ ବିଜୟ କୁମାର ପୁହାଣଙ୍କୁ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ସେମାନଙ୍କ ଅବଦାନ ନିମନ୍ତେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଜେଶ କୁମାର ମେହେରଙ୍କ ସ୍ବରଚିତ ହିନ୍ଦୀ କବିତା ପାଠ ସହିତ ସମାରୋହ ସମାପ୍ତ ହୋଇଥିଲା।