
ପୁରୀ: ଆଜିଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସମେତ ଅନାନ୍ୟ ଦେବୀ ପୀଠମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା ବା ଷୋଳପୂଜା । ଏ ନେଇ ଶ୍ରୀ ନଅରରେ ବିଧି ଅନୁସାରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ୨୧ ଜଣ ସ୍ତ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ ନୀତି କରିଛନ୍ତି । ଶ୍ରୀନଅରରେ ରାଜଗୁରୁ ଏହି ଅବସରରେ ଗୁଆ, ନଡ଼ିଆ, ପଇତା ପ୍ରଦାନ କରି ପାରମ୍ପରିକ ଭାବେ ବରଣ ନୀତି କରିଥିବା ପରିଲକ୍ଷିତ ହୋଇଛି । ସେପଟେ ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେଉଥିବା ବେଳେ ଦୁର୍ଗାମାଧବ ଉପାସନା ପାଳିତ ହେଉଛି ।
ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ଆଜି ମୂଳାଷ୍ଟମୀ ଅବସରରେ ଷୋଳପୂଜାର ବିଧି ଆରମ୍ଭ ହୋଇଛି । ଗଜପତିଙ୍କ ଶ୍ରୀନହରରେ ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠର ଗୁଡ଼ିକରେ ଆଚାର୍ଯ୍ୟମାନଙ୍କୁ ବରଣ କାର୍ଯ୍ୟ କରାଯାଇଛି । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ଆଜି ସ୍ତ୍ରୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତ କରିଛନ୍ତି । ପ୍ରାୟ ୨୧ ଜଣ ଆଚାର୍ଯ୍ୟ ଶ୍ରୀ ଫଳ, ଗୁଆ, ପଇତା ନେଇ ବରଣ ହୋଇଥିବା ବେଳେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ମାନଙ୍କରେ ଚଣ୍ତିପାଠ, ଦୁର୍ଗା ଆରାଧନା କରିବେ । ତେବେ ଆଜି ଆଶ୍ବିନ ମାସ କୃଷ୍ଣପକ୍ଷ ଦିବସ ଠାରୁ ଆଗାମୀ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଏହି ବିଶେଷ ପୂଜାର୍ଚ୍ଚନା କରାଯିବ l
ଶ୍ରୀମନ୍ଦିରରେ ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ପରିଚିତ ମା’ ବିମଳାଙ୍କ ନିକଟରେ ମଧ୍ୟ ଷୋଡ଼ଶ ଦିନାତ୍ମକ ପୂଜା ବରଣ ହୋଇଥିବା ସ୍ତ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଛି । ଏପରି କି ଶ୍ରୀମନ୍ଦିର ପରିସର ଭିତରେ ଥିବା ଭୁବନେଶ୍ୱରୀ ତଥା ଶ୍ରୀକ୍ଷେତ୍ରରେ ବିଜେ କରିଥିବା ମା’ ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି। ମା’ଙ୍କର ଏହି ପାର୍ବଣ ପୂଜାକୁ ନିଷ୍ଠାର ସହ ପାଳନ କରିବାକୁ ଗଜପତି ମହାରାଜା ନିବେଦନ କରିଛନ୍ତି । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ମା’ ଦୁର୍ଗାଙ୍କ ସ୍ବର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ ହୋଇଥାଏ । ପରେ ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ମାଜଣା ମଣ୍ଡପରେ ଠାକୁରାଣୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଅଛି l
ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ଏବେ ଠାରୁ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଆରମ୍ଭ କରାଯିବ ।