ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବାଦଲ ଫଟା ବର୍ଷା : ୧୫ ଜଣ ମୃତ, ୧୬ ଜଣ ନିଖୋଜ

youtube

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଲଗାତାର ବାଦଲ ଫଟା ବର୍ଷା ତାଣ୍ଡବ କରୁଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ରହିଛି । କିନ୍ତୁ ଡେରାଡୁନରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୧୬ ଜଣ ନିଖୋଜ ରହିଛନ୍ତି । ସେହି ସମୟରେ ପ୍ରାୟ ୯୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ସବୁଠାରୁ ଅଧିକ କ୍ଷୟକ୍ଷତି ଡେରାଡୁନରେ ଘଟିଛି । ଫଳରେ କେବଳ ଡେରାଡୁନ୍ ଅଞ୍ଚଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହା ଛଡ଼ା ନୈନିତାଲରେ ଜଣେ ଏବଂ ପିଥାରୋଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ନଦୀ ସ୍ରୋତରେ ଲୋକ ଭାସି ଯାଇ ନିଖୋଜ ହୋଇଛନ୍ତି । ଏହାରି ମଧ୍ୟରେ ଅଧିକାରୀମାନେ କହିଛନ୍ତି ଯେ, ଉତ୍ତରାଖଣ୍ଡ ସରକାର ପୀଡିତଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ । ଏହା ସହିତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ମୃତଦେହଗୁଡ଼ିକୁ ସେମାନଙ୍କ ଗାଁକୁ ସମ୍ମାନର ସହିତ ପରିବାରକୁ ହସ୍ତାନ୍ତର କରିବାକୁ ଘୋଷଣା କରିଛନ୍ତି ।

ଏହା ବ୍ୟତୀତ ଡେରାଡୁନରେ ପ୍ରବଳ ବର୍ଷା ଯୋଗୁଁ ସୋଙ୍ଗ ଏବଂ ଟନ୍ସ ନଦୀର ଜଳ ପ୍ରବାହିତ ହୋଇଥିଲା । ପ୍ରସିଦ୍ଧ ଟପକେଶ୍ୱର ମହାଦେବ ମନ୍ଦିର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା । ଏହା ସହିତ ମନ୍ଦିରର ପ୍ରବେଶ ଦ୍ୱାରରେ ଥିବା ବଡ଼ ହନୁମାନ ମୂର୍ତ୍ତିର ମଧ୍ୟ ଅଧା ଅଂଶ ବୁଡ଼ି ଯାଇଥିଲା । ଗତ ୨୫-୩୦ ବର୍ଷ ମଧ୍ୟରେ ନଦୀର ଜଳସ୍ତର ଏତେ ଉଚ୍ଚରେ କେବେ ବୃଦ୍ଧି ପାଇନଥିଲା ବୋଲି ସେଠାକାର ପୂଜକ କହିଛନ୍ତି । ଏହି କାରଣରୁ ଅନେକ ରାସ୍ତା କ୍ଷୟକ୍ଷତି ହୋଇଥିବାବେଳେ ପୋଲଗୁଡିକ ମଧ୍ୟ ଭୁସୁଡି ପଡିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସୋସିଆଲ ମିଡିଆରେ ଭାଇରଲ ଭିଡିଓ ଦେଖିବାକୁ ମିଳିଛି ଯେ, SDRF ଏବଂ NDRF ଟିମ୍ ସ୍ରୋତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ଜଳ ବୃଦ୍ଧି ହୋଇ ପାଉଣ୍ଡା ଅଞ୍ଚଳରେ ଜଳ ପଶି ଯିବାରୁ ୪୦୦ରୁ ଅଧିକ ଛାତ୍ର ଫସି ରହିଥିଲେ ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।

ଅନ୍ୟପଟେ ଉଦ୍ଧାରକାରୀ ଟିମ୍ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିବା ସହ ପରିସ୍ଥିତିକୁ ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ୨୫-୩୦ ଅଞ୍ଚଳରେ ରାସ୍ତା ଧସି ଯାଇଛି, ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଯାତାୟତରେ ବାଧା ସୃଷ୍ଟି କରିଛି । ଏହାରି ମଧ୍ୟରେ ସେ ରାଜ୍ୟ ସରକାରଙ୍କୁ ଆଶ୍ବାସନା ଦେଇଛନ୍ତି । ପ୍ରଭାବିତ ପରିବାରଙ୍କ ସହ ଠିଆ ହେବା ସହ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଡେରାଡୁନ୍, ତେହରି, ନୈନିତାଲ ଏବଂ ପିଥୋରାଗଡ଼ ଜିଲ୍ଲାରେ ବର୍ଷା ଜାରି ରହିଛି । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ଏବଂ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.