
ବ୍ରହ୍ମପୁର : ରାଜ୍ୟରେ ଦିନକୁ ଦିନ ମହିଳାମାନେ ଅସୁରକ୍ଷିତ ହୋଇପଡ଼ୁଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ଆଜି ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇ.ଜି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟ ରାସ୍ତା ଅବରୋଧ କରିଛି। ମହିଳାମାନଙ୍କ ପ୍ରତି ଦୁଷ୍କର୍ମ ଓ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ସରକାର ଏହାର ପ୍ରତିକାର ଦିଗରେ ବିଫଳ ହୋଇଥିବା ଅଭିଯୋଗ କରି ଦଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି।
ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇ ସରକାର ବିରୁଦ୍ଧରେ ନାରାବାଜି କରିଥିଲେ। ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହି ଦାବି ପୂରଣ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ। ପୂର୍ବତନ ବିଧାୟିକା ଲତିକା ପ୍ରଧାନ ମଧ୍ୟ ବିଜେପି ସରକାର ‘ମାଆ’ଙ୍କୁ ସମ୍ମାନ ଦେଇ ବୃକ୍ଷରୋପଣ କରୁଥିବା କହି ମାଆମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉଚିତ୍ ବୋଲି ମତବ୍ୟକ୍ତ କରିଛନ୍ତି।

ବିକ୍ଷୋଭ ପ୍ରଦର୍ଶନ ପରେ ଶତାଧିକ ମହିଳା ବିଜେଡି କର୍ମୀ ଦକ୍ଷିଣାଞ୍ଚଳ ଆଇ.ଜି. ନୀତି ଶେଖରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ନାରୀ ସୁରକ୍ଷା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସଜାଡ଼ିବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧ ଏକ ଚିନ୍ତାର ବିଷୟ ପାଲଟିଛି ଏବଂ ଏହାର ପ୍ରତିକାର ପାଇଁ ସରକାରଙ୍କ ଠାରୁ ଠୋସ୍ ପଦକ୍ଷେପ ଆଶା କରାଯାଉଛି।