
ବାସୁଦେବପୁର: କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଛି ମା’ । ମୋ ଝିଅ ମୋ ଝିଅ କହି କୋହ ସମ୍ଭାଳି ପାରୁନି ମା’ । ଝିଅକୁ ମାତ୍ର ୯ ବର୍ଷ ହୋଇଥିଲା । ସନ୍ଧ୍ୟା ସମୟରେ ଘର ଆଗରୁ ନିଖୋଜ ହେଲା ଯେ ଦୀର୍ଘ ୬ ଦିନ ପରେ ମିଳିଳା ଝିଅ, କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ ମୃତ ଅବସ୍ଥାରେ ଝିଅକୁ ଉଦ୍ଧାର କଲା ଓଡ୍ରାଫ ଟିମ । ଝିଅର ମରଶରୀର ମିଳିବା ପରେ ଏବେ ଧୈର୍ଯ୍ୟହରା ହୋଇପଡ଼ୁଛି ମା’ । ଖାଲି ଝିଅ ଝିଅ କହି ବାହୁନି ହେଉଛି ।
ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ରାଧାନାଥପୁର ୧ନଂ ୱାର୍ଡରେ ଗତ ଶନିବାର ଦିନ ସନ୍ଧ୍ୟା ସମୟରେ ଘର ଆଗରୁ ନିଖୋଜ ହୋଇଥିଲା ନାବାଳିକା ଝିଅ । ତେବେ ଗତକାଲି ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରେ ଝିଅର ମୃତଦେହକୁ ଓଡ୍ରାଫ ଟିମ୍ କୋଷ୍ଟ କେନାଲ ମଧ୍ୟରୁ ଉଦ୍ଧାର କରିଛି । ଦୀର୍ଘ ୬ ଦିନ ହେବ ନିଖୋଜ ଥିବା ନାବାଳିକାକୁ ଜିଲ୍ଲା ପୋଲିସ ଦିନ ରାତି ଏକ କରି ଖୋଜିବାରେ ଲାଗିଥିଲା । ତେବେ ଗତକାଲି ଡିଆଇଜି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଓଡ୍ରାଫ ଟିମକୁ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡ୍ରାଫ ଟିମ୍ ପହଞ୍ଚି ଖୋଜିବା ପରେ ଦଳ ଭର୍ତ୍ତି କୋଷ୍ଟ କେନାଲରୁ କୁନି ଝିଅର ମରଶରୀରକୁ ଉଦ୍ଧାର କରିଥିଲେ ।
ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ବୋଲି ପୋଲିସ ସନ୍ଦେହ କରିଥିବାବେଳେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ସେପଟେ ମାତ୍ର ୯ ବର୍ଷର କୁନି ଝିଅକୁ କିଏ ଅପହରଣ କଲା? କେଉଁ ଉଦ୍ଦେଶ୍ୟ ନେଇ ନାବାଳିକାର ଅପହରଣ କରାଯାଇଥିଲା ? ଏଭଳି ପ୍ରଶ୍ନକୁ ନେଇ ପୋଲିସ ଅଧିକ ଛାନଭିନ୍ କରୁଛି ।