
ତେହରାନ: ଇରାନର ଚାବାହାର ବନ୍ଦର ଉପରେ ଆମେରିକା ପୁନର୍ବାର କଟକଣା ଲାଗୁ କରିଛି। ଆମେରିକା ଲାଗୁ କରିଥିବା କଟକଣା ସେପ୍ଟେମ୍ବର ୨୯ରୁ କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏହା ଭାରତ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ଚାବାହାର ବନ୍ଦର ଦେଇ ଭାରତ କେନ୍ଦ୍ର ଏସିଆ ଓ ଆଫଗାନିସ୍ତାନକୁ ନିଜର ସାମଗ୍ରୀ ପରିବହନ କରୁଛି। ଏହି ବନ୍ଦରର ୧୮ନମ୍ବର ଟର୍ମିନାଲକୁ ଭାରତ ନିୟନ୍ତ୍ରଣ କରୁଛି। ପାକିସ୍ତାନକୁ ବାଦ୍ ଦେଇ ଭାରତ ଏହି ବନ୍ଦରରୁ ନିଜର ବାଣିଜ୍ୟ କାରବାର କରୁଛି। ଇରାନ ଫ୍ରିଡମ୍ ଆଣ୍ଡ କାଉଣ୍ଟର ପ୍ରୋଲିଫିରେସନ ଆକ୍ଟ (ଆଇଏଫ୍ସିଏ) ଅନୁଯାୟୀ
ଆମେରିକା ଚାବାହାର ବନ୍ଦରକୁ କଟକଣା ମୁକ୍ତ କରିଥିଲା। ଏବେ ଏହା ଉପରେ ପୁନର୍ବାର କଟକଣା ଲାଗୁ କରିବା ଦ୍ବାରା ଏଠାରୁ ନିଜର ଜାହାଜ ଚଳାଚଳ କରୁଥିବା ରାଷ୍ଟ୍ରଗୁଡିକ ଉପରେ ଆମେରିକା ଜୋରିମାନା ଲାଗୁ କରିବ। ସେପ୍ଟେମ୍ବର ୧୬ରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଜାରି କରିଥିବା ବିବୃତି ଅନୁଯାୟୀ ଇରାନକୁ ଏକଘରକିଆ କରିବା ଉଦ୍ଦେଶ୍ୟରେ ଏହାର ବନ୍ଦର ଉପରେ କଟକଣା ଲାଗୁ କରାଯାଇଛି। କଟକଣା ଲାଗୁ ହେବା ମାତ୍ରେ ଚାବାହାର ବନ୍ଦରରେ ହେଉଥିବା ସମସ୍ତ କାର୍ଯ୍ୟକୁ ଆମେରିକା ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ। ଅନ୍ୟ ଏକ ବିଷୟ ହେଉଛି ଚାବାହାର ବନ୍ଦର ଦେଇ ଇରାନ ଏହାର ବେଆଇନ ସାମରିକ ଓ ଅର୍ଥ କାରବାର ଚଳାଇଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଆମେରିକା ଏପରି କଟକଣା ଲାଗୁ କରିଛି।
ଚାବାହାର ବନ୍ଦରରେ ନିଜର ବାଣିଜ୍ୟ କାରବାର କରିବା ଲାଗି ଭାରତ ସରକାର ୨୦୨୪ ମେ ୧୩ରେ ଇରାନ ସରକାରଙ୍କ ସହିତ ବୁଝାମଣା କରିଥିଲେ। ବୁଝାମଣା ଅନୁଯାୟୀ ଭାରତ ୧୦ବର୍ଷ ପାଇଁ ଏଠାରେ ନିଜର ବାଣିଜ୍ୟ ପରିବହନ କାରବାର କରିବ। ଏପରି କି ଏହି ବନ୍ଦରରେ ନିଜର ଭିତ୍ତିଭୂମି ବିକାଶ ଲାଗି ଇଣ୍ଡିଆନ ପୋର୍ଟ୍ସ ଗ୍ଲୋବାଲ ଲିମିଟେଡ (ଆଇପିଜିଏଲ୍) ୧୨୦ ନିୟୁତ ଡଲାର ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ଏହି ବନ୍ଦର ଦେଇ ରୁଷ୍ ଓ ୟୁରୋପ ମହାଦେଶ ସହିତ ଭାରତ ବାଣିଜ୍ୟ କାରବାର ସୁବିଧା ପାଉଥିଲା।