
ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘର ଜିଲ୍ଲାର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା କର୍ମଚାରୀଙ୍କ ସମେତ ଜରୁରୀକାଳୀନ ଟିମ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହା ସହିତ ସେମାନଙ୍କ ଚିକିତ୍ସା ପାଇଁ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଧାତୁ ଏବଂ ଏସିଡ୍ ମିଶ୍ରଣ ହେଉଥିବା ସମୟରେ ଘଟଣାସ୍ଥଳରେ ପାଞ୍ଚ ଜଣ ଶ୍ରମିକ ଉପସ୍ଥିତ ଥିଲେ । ସେହି ସମୟରେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଜଣଙ୍କର ଅବସ୍ଥା ସାମାନ୍ୟ ଥିଲାବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ତେଣୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ନିକଟରେ ଔଷଧ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ୪ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାର ଠିକ୍ ଗୋଟିଏ ଦିନ ପରେ ପୋଲିସ୍ କମ୍ପାନୀର ୪ ଜଣ ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ ବୋଲି ଅଧିକାରୀ କହିଛନ୍ତି ।