
ମହାକାଳପଡା: ଉଦ୍ଧାର ହେଲା କୁମ୍ଭୀର ଝାମ୍ପି ନେଇଥିବା ମହିଳାଙ୍କ ମୃତଦେହ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ସୁନିତି ପଞ୍ଚାୟତର ବେଣାକଦ୍ଧା ଗାଁରେ ଜଣେ ମହିଳାଙ୍କୁ ଗତକାଲି ଝାମ୍ପି ନେଇଥିଲା କୁମ୍ଭୀର । ଗୋବରୀ ନଦୀ କୂଳରେ ଛେଳି ଚରାଇବା ବେଳେ ଭିଡ଼ି ନେଇଥିଲା କୁମ୍ଭୀର । ତାଙ୍କ ନାଁ ଲକ୍ଷ୍ମୀ ଦଳାଇ । ଜଣେ ୪୦ ବର୍ଷର ମହିଳା । ମହିଳାଙ୍କ ଦୁଇ ଗୋଡ଼ରେ କୁମ୍ଭୀର କାମୁଡାର ଚିହ୍ନ ରହିଥିବା ଦେଖିବାକୁ ମିଳିଛି ।
ଗତକାଲି ଅପରାହ୍ନ ୪ଟା ବେଳେ ଗୋବରୀ ନଦୀ କୂଳରେ ଛେଳି ବାନ୍ଧିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା। ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଡଙ୍ଗା ଓ ଜାଲ ସାହାଯ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ପାରିନଥିଲା । ନଦୀନାଳ ଘେରା ମହାକାଳପଡ଼ା ଅଂଚଳରେ ଦିନକୁ ଦିନ କୁମ୍ଭୀର ଆକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି । ମହିଳାଙ୍କ ମୃତଦେହ ଉଦ୍ଧାର ହେବାପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।