
ଚମ୍ପୁଆ: ଚମ୍ପୁଆ ବନାଞ୍ଚଳରେ ଗୋଠଛଡା ଦନ୍ତାଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତ ଯୋଡା ପୋଖରୀ ଗ୍ରାମର ନରୋତ୍ତମ ମହାନ୍ତ, ଏବଂ ତାଙ୍କ ବୟସ ୬୫ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ପାଞ୍ଚଟା ବେଳେ ନରୋତ୍ତମ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତାଟି ତାଙ୍କୁ ଧରି ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବନ ବିଭାଗ ଓ ପୋଲିସ ପହଞ୍ଚି ଶବ ଜବତ କରିବା ସହ ହାତୀ ଘଉଡାଇବା କାର୍ଯ୍ୟରେ ଲାଗିଛନ୍ତି । ଦନ୍ତା ଉତ୍ପାତ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।