
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗ୍ରେଟର ନୋଏଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ପାଣି ଟ୍ୟାଙ୍କର ଏବଂ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଘଟିଛି ।
ସୂଚନାନୁଯାୟୀ, ରବିବାର ରାତି ସମୟରେ ବିଟା-୨ ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେର ଚୁହରପୁର ଅଣ୍ଡରପାସ୍ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ୩ ଜଣ ଛାତ୍ର ଖାଦ୍ୟ ଆଣିବା ପାଇଁ ପୂର୍ବାଞ୍ଚଳ ସୋସାଇଟି ନିକଟରେ ଥିବା ଏକ ଢାବାକୁ ବାଇକରେ ଯାଉଥିଲେ । ଗଛରେ ପାଣି ଦେଉଥିବା ଏକ ପାଣି ଟ୍ୟାଙ୍କରରେ ତାଙ୍କ ବାଇକ୍ ଧକ୍କା ହୋଇଥିଲା । ଫଳରେ ଛାତ୍ରମାନେ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ପରେ ଆଉ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଏକ ବଡ଼ ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ସେଠାରେ ମଧ୍ୟ ତାଙ୍କର ତାଙ୍କର ମୃତ୍ୟୁ ହୋଇଥିଲା ।
ଅନ୍ୟପଟେ ସେହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଛାତ୍ରଙ୍କ ପରିଚୟ ମିଳିଛି । ୩ ଜଣ ଛାତ୍ର ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟ (GBU)ର ଛାତ୍ର ଥିଲେ ବୋଲି କୌଣସି ଏକ ରିପୋର୍ଟରୁ ଜଣାପଡିଛି । ମୃତକଙ୍କ ନାମ ସ୍ୱୟମ୍ ସାଗର (୧୯ ବର୍ଷ), ଗାଜିପୁର ଜିଲ୍ଲାର ଖୁଦୁରା ଗାଁର ବାସିନ୍ଦା କୁଶ (୨୧ ବର୍ଷ) ଏବଂ ବରେଲି ଜିଲ୍ଲାର ସାଟେଲାଇଟ୍ କଲୋନିର ବାସିନ୍ଦା ସମର୍ଥ ପୁଣ୍ଡିର (୧୮ ବର୍ଷ) ବୋଲି ଚିହ୍ନଟ କରାଯାଇଛି । ବର୍ତ୍ତମାନ ପୋଲିସ ଘଟଣା ସମ୍ପର୍କରେ ମୃତକଙ୍କ ପରିବାରକୁ ସୂଚନା ଦେଇଛି ।