ଇଟାନଗରରେ ୫୧୨୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୋଦି

youtube

ଅରୁଣାଚଳ ପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ରହିଛନ୍ତି । ସକାଳୁ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ସିଓମ ଉପ-ବେସିନରେ ବିକଶିତ ହେବାକୁ ଥିବା ହିଓ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଟାଟୋ-୧ ଜଳବିଦ୍ୟୁତ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ତାୱାଙ୍ଗଠାରେ ୧୨୯୦କୋଟି ଟଙ୍କା ମୂଲ୍ୟର ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୫୦୦ ଦର୍ଶକ ବସିବା ବ୍ୟବସ୍ଥା ଥିବା ଏହି ସେଣ୍ଟରରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ ଆୟୋଜିତ ହୋଇପାରିବ ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାନଗରରେ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋର ଅରୁଣାଚଳ ପ୍ରଦେଶ ଗସ୍ତ ସ୍ୱତନ୍ତ୍ର ହୋଇଛି । ନବରାତ୍ରିର ପ୍ରଥମ ଦିନରେ ମୁଁ ଏତେ ସୁନ୍ଦର ପର୍ବତ ଦେଖିବାକୁ ପାଇଲି । ଆଜି ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହୋଇଛି । ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ ହୋଇଛି । ଅରୁଣାଚଳ ପ୍ରଦେଶକୁ ଶକ୍ତି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ପ୍ରକଳ୍ପ ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଦଳର ବିଚାରଧାରା ଅରୁଣାଚଳ ପ୍ରଦେଶ ଏବଂ ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ବହୁତ କ୍ଷତି ପହଞ୍ଚାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ମୋଦି ସେମାନଙ୍କୁ ପୂଜା କରନ୍ତି, ଯାହାକୁ କେହି ପଚାରି ନାହାଁନ୍ତି ।

ଅରୁଣାଚଳ ପ୍ରଦେଶ ପରେ ଆଜି ଅପରାହ୍ଣରେ ମୋଦି ତ୍ରିପୁରା ଯିବେ । ଦୁଇ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ୫ ହଜାର ୧୨୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତ୍ରିପୁରା ରାଜଧାନୀ ଅଗରତାଲାରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ଅଗରତାଲାରୁ ମୋଦି ହେଲିକପ୍ଟରରେ ତ୍ରିପୁରାର ଉଦୟପୁର ଯିବେ । ସେଠାରେ ୫୨୪ ବର୍ଷର ପୁରୁଣା ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରର ପୁନଃ ବିକାଶ କାମର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହି ମନ୍ଦିରର ବିକାଶ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲିପ୍ୟାଡରୁ ମୋଦି ତ୍ରିପୁରା ସୁନ୍ଦରୀ ମନ୍ଦିର ପର୍ଯ୍ୟନ୍ତ ୧୨ କିଲୋମିଟର ରୋଡ୍ ଶୋ’ କରିବେ ।

Leave A Reply

Your email address will not be published.