
ପାକିସ୍ତାନ : ନିଜ ଦେଶରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ ବାୟୁସେନା । ପାକିସ୍ତାନୀ ସେନା ନିଜ ନାଗରିକଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିବାରୁ ଶିଶୁ ଏବଂ ମହିଳା ସମେତ ୩୦ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।
ଖବର ମୁତାବକ, ପାକିସ୍ତାନୀ ବାୟୁସେନା ଭୋର ପ୍ରାୟ ୨ଟା ସମୟରେ ଖୈବର ପଖତୁନଖ୍ୱା ପ୍ରଦେଶର ତିରାହ ଉପତ୍ୟକାର ମତ୍ରେ ଦାରା ଗାଁରେ ଜେଏଫ୍-୧୭ ଲଢ଼ୁଆ ବିମାନରୁ ଅତି କମରେ ୮ଟି ଏଲଏସ-୬ ବୋମା ପକାଇଥିଲା । ଯେଉଁଥିରେ ୩୦ରୁ ଅଧିକ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୨୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ପାକିସ୍ତାନ ସରକାର ଏହି ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି ।
ସ୍ଥାନୀୟ ବାସିନ୍ଦା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଗାଁର ଲୋକମାନେ ଶୋଇଥିବା ସମୟରେ ଜୋରରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା । ଗାଁର ରାସ୍ତା ନଷ୍ଟ ହୋଇଯାଇଥିବାରୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇଥିବା ଜଣାଯାଇଛି । ବୋମା ବିସ୍ଫୋରଣ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ଖୈବରରେ ଚଳିତବର୍ଷ ଅଗଷ୍ଟ ଯାଏଁ ୭୦୦ରୁ ଅଧିକ ଆତଙ୍କୀ ଆକ୍ରମଣ ହୋଇଛି । ୨୫୮ ଯବାନଙ୍କ ଜୀବନ ଚାଲିଯାଇଛି । ସେହିପରି ପାକିସ୍ତାନ ସେନା ଡେରା ଇସ୍ମାଇଲରେ ୭ ଆତଙ୍କୀ ମାରିଥିବା ଦାବି କରିଛି ।
ପାକିସ୍ତାନ ଦାବି କରୁଛି ଯେ, ଆଫଗାନିସ୍ତାନ ଖୈବରରେ ଟିଟିପିକୁ ସମର୍ଥନ କରୁଛି । ପାକିସ୍ତାନ ଖୋଲାଖୋଲି ଭାବରେ ଆଫଗାନିସ୍ତାନ ଉପରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବାର ଅଭିଯୋଗ କରିଛି । ଟିଟିପିର ଲକ୍ଷ୍ୟ ହେଉଛି ପାକିସ୍ତାନକୁ ମୌଳବାଦୀ ମୁସଲିମ ଶାସନ ଫେରାଇ ଆଣିବା ।