ପ୍ରବଳ ବର୍ଷାରେ ଉବୁଟୁବୁ କୋଲକତା, ଅତିକମରେ ୬୨ ବିମାନ ଉଡ଼ାଣ ବାତିଲ

youtube

କୋଲକତା : ଦୁର୍ଗାପୂଜା ପୂର୍ବରୁ କୋଲକତାରେ ପ୍ରବଳ ବର୍ଷା । ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି କୋଲକତା । କୋଲକାତାରେ ଗତକାଲି ରାତି ସାରା ପ୍ରବଳ ବର୍ଷା ହେତୁ ପାଣି ଜମି ରହିବା ସହିତ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯାହା ଫଳରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଇଛି । ଯାହାର ପ୍ରଭାବରେ କୋଲକାତା ବିମାନବନ୍ଦର ରନୱେ ଜଳପୂର୍ଣ୍ଣ ଥିବା ଦୃଶ୍ୟ ଦେଖାଯାଇଥିବାରୁ ୧୦୦ରୁ ଅଧିକ ବିମାନ ପ୍ରଭାବିତ ହୋଇଥିବା ବେଳେ ଅତି କମରେ ୬୨ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ସହରରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ । ଆଲିପୁରରେ ୨୪ ଘଣ୍ଟା ମଧ୍ୟରେ ୨୪୭.୫ ମିମି ବର୍ଷା ହୋଇଛି ଏବଂ ଅନେକ ପଡ଼ୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଫଳରେ ରାସ୍ତା, ଘର ଏବଂ ବଜାରକୁ ବୁଡ଼ାଇ ଦେଇଛି । ଏହି ବର୍ଷା ରେଳ ଏବଂ ମେଟ୍ରୋ ସେବାକୁ ବାଧାପ୍ରାପ୍ତ କରିଛି, ଅନେକ ଦୂରଗାମୀ ଟ୍ରେନର ସମୟସୂଚୀ ପରିବର୍ତ୍ତନ ହୋଇଛି ।

କୋଲକାତାର ଅନେକ ମଣ୍ଡପରେ ପାଣି ଜମି ରହିବା ଯୋଗୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ତାଙ୍କର ନିର୍ଦ୍ଧାରିତ ଦୁର୍ଗାପୂଜା ଉଦଘାଟନକୁ ବାତିଲ କରିଛନ୍ତି । ସେ ତାଙ୍କର ସମସ୍ତ ଯୋଜନାବଦ୍ଧ ବୈଠକ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଛି । ଏଥିରେ କିଛି ଜଣଙ୍କୁ କରେଣ୍ଟ ଲାଗିବା ଯୋଗୁଁ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମେୟର ଫିରହାଦ ହକିମ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି । ଯଦି ଆହୁରି ବର୍ଷା ହୁଏ, ତେବେ ଜଳମଗ୍ନ ଅଞ୍ଚଳରୁ ପାଣି ଖାଲି ହେବାକୁ ୧୨ ଘଣ୍ଟା ସମୟ ଲାଗିବ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଉପକୂଳରେ ଉତ୍ତର-ପୂର୍ବରେ ଲୋ-ପ୍ରେସର ହୋଇଥିବା ଯୋଗୁଁ କୋଲକତା, ହୁଗଲି ଏବଂ ହାୱଡା ସମେତ ପଶ୍ଚିମବଙ୍ଗର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି ।

Leave A Reply

Your email address will not be published.