
ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ତେବେ ଆମେରିକାରେ ଉତ୍ପାଦନ କାରଖାନା ନିର୍ମାଣ ଆରମ୍ଭ କରିଥିବା କମ୍ପାନୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ କରାଯାଇଛି । ଆମେରିକାକୁ ରପ୍ତାନି ହେଉଥିବା ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ ଦ୍ବାରା ଭାରତୀୟ ଔଷଧ ଉଦ୍ୟୋଗ ବିଶେଷକରି ପ୍ରଭାବିତ ହେବା ଆଶଙ୍କା ରହିଛି । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩,୦୦୦ କୋଟି ଟଙ୍କାର ଔଷଧ ରପ୍ତାନି କରିଥାଏ ।
୧୦୦% ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ ଔଷଧର ଦର ବହୁତ ବଢ଼ିଯିବ । ଏଥିଯୋଗୁ Sun Pharma, Dr. Reddy’s, Cipla, Lupin ପରି ବଡ଼ କମ୍ପାନୀଗୁଡ଼ିକର ଲାଭ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ଆମେରିକା ବଜାରରେ ଦର ବଢ଼ିବାରୁ ଅନ୍ୟ ଦେଶ ୟୁରୋପ୍, ଲାଟିନ୍ ଆମେରିକାର ଯୋଗାଣକାରୀ ଲାଭ କରିପାରନ୍ତି । ଟ୍ରମ୍ପ ଏହି ଶୁଳ୍କକୁ ଆମେରିକୀୟ ଔଷଧ ଶିଳ୍ପକୁ ସୁରକ୍ଷା ଏବଂ “ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ବୋଲି ବର୍ଣ୍ଣନା କରିଛନ୍ତି । ଭାରତ World Trade Organization (WTO) ମାଧ୍ୟମରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଚ୍ୟାଲେଞ୍ଜ୍ କରିପାରେ । ଆମେରିକାରେ ଶତ ପ୍ରତିଶତ ଶୁଳ୍କ ଲାଗୁ ଦ୍ବାରା ଭାରତୀୟ ମେଡିସିନ କମ୍ପାନୀମାନେ ବିକଳ୍ପ ବଜାର ଭାବେ ୟୁରୋପ୍, ଜାପାନ୍, ମଧ୍ୟ ପୂର୍ବକୁ ଖୋଜିବାକୁ ବାଧ୍ୟ ହେବେ ।