ବିଏସ୍ଇ ଓ ସିଏଚ୍ଏସ୍ଇ ମିଶ୍ରଣକୁ ଅନୁମୋଦନ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ପାଠ୍ୟପୁସ୍ତକ

ଭୁବନେଶ୍ୱର: ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍ଇ ଓ ସିଏଚ୍ଏସ୍ଇ ମିଶ୍ରଣକୁ ମିଳିଲାଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବ। ଅନ୍ୟପଟେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯିବ।
ଆସନ୍ତା ୩ ବର୍ଷରେ ୪୪ ହଜାର ୪୩୩ଟି ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ଦିଆଯିବ। ଏଥିରୁ ୪୦ ହଜାର ନୂଆ ଶିକ୍ଷକ ପଦବୀ ସୃଷ୍ଟି କରାଯିବ। ଗତ ଅଗଷ୍ଟ ୨୧ରେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଏହାକୁ ଅନୁମୋଦନ ଦେଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ୪୫ ହଜାର ୨୯୨ଟି ପ୍ରାଥମିକ ସ୍କୁଲରେ ୧ ଲକ୍ଷ ୬୦ ହଜାର ୩୧୯ଟି ଶିକ୍ଷକ ପଦବୀ ରହିଛି। ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯ ହଜାର ୩୬୬ଟି ପଦବୀ ସୃଷ୍ଟି କରାଯିବ। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଖାଲି ହେବାକୁ ଥିବା ୫ ହଜାର ୬୭ଟି ପଦବୀକୁ ମିଶାଇ ଆସନ୍ତା ୩ ବର୍ଷରେ ୪୪ ହଜାର ୪୩୩ଟି ଶିକ୍ଷକ ପଦବୀ ପୂରଣ କରାଯିବ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯାଉଥିଲା। କିନ୍ତୁ ଏବେ ସମସ୍ତ ବର୍ଗର ପିଲାଙ୍କୁ ଦଶମ ଶ୍ରେଣୀ ଯାଏ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏନ୍ସିଇଆର୍ଟି ଢାଞ୍ଚାରେ ଏସ୍ସିଇଆର୍ଟିକୁ ବିକଶିକ କରାଯିବ। ପାଠ୍ୟପୁସ୍ତକ ପ୍ରକାଶନ ନିର୍ଦ୍ଦେଶାଳୟ ସଂସ୍ଥାର ସୃଦୃଢ଼ୀକରଣ ହେବ।