
ଉମରକୋଟ: ଚିକିତ୍ସା ଅବହେଳାରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ହସ୍ପିଟାଲ ପରିସରରେ ଦେଖାଗଲା ଉତ୍ତେଜନା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିକତ୍ସାରେ ବିଳମ୍ବ ଓ ଅବହେଳା ପାଇଁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତୁରୁଡ଼ି ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସରେ ଘଟିଛି ଏଭଳି ଅଘଟଣ ।
ସପ୍ତମ ଶ୍ରେଣୀ ଛାତ୍ର ମଙ୍ଗଳ ସିଂ ଗଣ୍ଡଙ୍କ ଚିକିତ୍ସାଧୀନ ଅବସ୍ଥାରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ପରେ ବଢିଥିଲା ଉତ୍ତେଜନା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିକତ୍ସାରେ ବିଳମ୍ବ ଓ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ତଥା ଗ୍ରାମବାସୀ । ତେବେ ତଦନ୍ତ ପାଇଁ ଆସିଥିବା ରାଇଘର ଗୋଷ୍ଠି ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାରଙ୍କୁ ତାଲା ମାରି ବନ୍ଧକ ରଖିଥିଲେ ଉତ୍ତ୍ୟକ୍ତ ଗ୍ରାମବାସୀ ।
ଘଟଣା ପ୍ରକାରେ ଗତ ୨୬ ସେପ୍ଟେମ୍ବର ରାତି ୧୧ ସମୟରେ ଛାତ୍ର ମଙ୍ଗଳଙ୍କୁ ବାନ୍ତି ହୋଇଥିଲା ପରେ ସେ ଅସୁସ୍ଥ ହୋଇଥିଲେ । ପ୍ରଥମେ ସରକାରୀ ଚିକିତ୍ସାଳୟକୁ ନେବା ପରିବର୍ତ୍ତେ ସ୍ଥାନୀୟ ଏକ କ୍କ୍ୱାକ ପାଖକୁ ମଙ୍ଗଳଙ୍କୁ ଚିକତ୍ସା ପାଇଁ ନେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ସେଠାରେ କ୍କ୍ୱାକ କିଛି ସମୟ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଛାତ୍ର ମଙ୍ଗଳଙ୍କୁ ହାଟଭରଣ୍ଡୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ଉମରକୋଟ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମଙ୍ଗଳ ମୃତ୍ୟୁବରଣ କରିଥିଲେ । ଘଟଣାକୁ ନେଇ ରାଇଘର ବିଇଓ ତଦନ୍ତ ପାଇଁ ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରୋଶର ଶିକାର ହୋଇଥିଲେ ।
ଘଟଣାକୁ ନେଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯିବା ପରେ ଶାନ୍ତ ହୋଇଥିଲା ପରିସ୍ଥିତି । ପରେ ମୃତ ଛାତ୍ରଙ୍କ ଶେଷକ୍ରୁତ୍ୟ କରାଯାଇଥିଲା । ଏପଟେ ଛୋଟ ପିଲାଟିର ଏମିତି ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ମଙ୍ଗଳଙ୍କ ବାପା ମା’ ।