ଏସିଆ କପ୍ ଫାଇନାଲ ହାରିବା ଅପମାନ ସହିପାରୁନି ପାକିସ୍ତାନ, ମୋଦିଙ୍କ ପୋଷ୍ଟକୁ ନେଇ ନକଭୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି

ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନ ହାରିବା ପରେ ଅପମାନ ସହି ପାରୁନାହିଁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପିସିବି ମୁଖ୍ୟ ମୋହସିନ ନକଭୀ । ଓଲଟା ଭାରତ ଅପମାନିତ ହୋଇଥିବା କହି ଖୁସି ହେଉଛନ୍ତି । ଏସିଆ କପ୍ ବିଜୟୀ ଟିମ ଇଣ୍ଡିଆ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରି ନଥିଲା । ଏହାକୁ ଭାରତର ନିରାଶା ଏବଂ ଅପମାନ ବୋଲି କହିଛନ୍ତି ନକଭୀ ।
ସୋସିଆଲ ମିଡିଆ ପୋଷ୍ଟରେ ନକଭୀ କହିଛନ୍ତି, ଯଦି ଯୁଦ୍ଧକୁ ଭାରତ ନିଜର ଗୌରବର ମାପକାଠି କରିବାକୁ ଚାହେଁ, ତେବେ ପାକିସ୍ତାନ ହାତରୁ ପରାଜୟର ଅପମାନ ଭାରତ ପାଇ ସାରିଛି । କୌଣସି କ୍ରିକେଟ ମ୍ୟାଚ୍ ସତକୁ ବଦଳାଇପାରିବ ନାହିଁ । ଯୁଦ୍ଧକୁ ଖେଳ ପଡ଼ିଆକୁ ଟାଣିବା ଭାରତର ନିରାଶା ଏବଂ ଅପମାନକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି । ମୋଦିଙ୍କୁ ପୋଷ୍ଟକୁ ଟ୍ୟାଗ କରି କହିଛନ୍ତି ନକଭୀ । ଏସିଆ କପ୍ ବିଜୟ ପରେ ଟିମ ଇଣ୍ଡିଆକୁ ଶୁଭେଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଏବେ ନକଭୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଏସିଆ କପରେ ଦୁଇଟି ଯାକ ଦେଶ ମଧ୍ୟରେ ଖେଳ ହୋଇଥିଲା । ଭାରତ ଫାଇନାଲ ସମେତ ଏସିଆ କପରେ ୩ ଥର ମୁହାଁମୁହିଁ ହୋଇଛନ୍ତି । ଆଉ ଏହି ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ ବହୁତ ଗୁରୁତ୍ବପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘ଖେଳ ପଡ଼ିଆରେ ‘ଅପରେସନ ସିନ୍ଦୂର’ । ଫଳାଫଳ ସମାନ- ଭାରତର ବିଜୟ ହୋଇଛି । ଆମ ଖେଳାଳିଙ୍କୁ ଅଭିନନ୍ଦନ ।’