
ଗଜପତି : ଧସିଲା ପାହାଡ଼, ଭାସିଗଲା ପୋଲ । ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ନିଖୋଜ ହୋଇଯାଇଛନ୍ତି ବାପ-ପୁଅ । ପେକେଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବରଙ୍କ ପତ୍ତା ମିଳୁନି । ବାପ ପୁଅ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବିଭାଗ ପକ୍ଷରୁ ୩ଟି ଟିମ୍ କରାଯାଇ ନିଖୋଜ ବାପପୁଅଙ୍କୁ ଖୋଜା ଚାଲିଛି ।
ପେକେଟ୍ ଗାଁ ନିକଟରେ ଭୂସ୍ଖଳନ ଯୋଗୁଁ ରାୟଗଡ଼ ଠାରୁ ଆର .ଉଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ରାସ୍ତା କଡ଼ରୁ ମାଟି ଅତଡା ଖସିଛି । ଫଳରେ ଅଢେଇ ଗାଁ ଓ କୁଜାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ମହେନ୍ଦ୍ରଗିରି ପର୍ବତରେ ଫଶି ରହିଥିବା ୨୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ବନବିଭାଗ । ପରେ ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି।