ଗାଜା ଷ୍ଟ୍ରିପରେ ବିମାନ ଆକ୍ରମଣ କଲା ଇସ୍ରାଏଲ, ୪୦ ପାଲେଷ୍ଟାଇନୀ ମୃତ

youtube

ଇସ୍ରାଏଲ: ଇସ୍ରାଏଲ ଗୁରୁବାର ଗାଜା ଷ୍ଟ୍ରିପରେ ଆଉ ଏକ ବଡ଼ ବିମାନ ଆକ୍ରମଣ କରିଛି । ନାସେର ହସ୍ପିଟାଲ ଅଧିକାରୀଙ୍କ ଅନୁଯାୟୀ, ବୁଧବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ଗାଜାରେ ଇସ୍ରାଏଲୀ ଆକ୍ରମଣ ଏବଂ ଗୁଳିମାଡରେ ଅତି କମରେ ୪୦ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦକ୍ଷିଣ ଗାଜାରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଧିକାରୀମାନେ କହିଛନ୍ତି ଯେ ଏହି ଲୋକଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଇସ୍ରାଏଲୀ ସାମରିକ କରିଡରରେ ହୋଇଥିଲା, ଯାହା ମାନବିକ ସହାୟତା ବଣ୍ଟନ ସମୟରେ ଏକ ସାଧାରଣ ଟାର୍ଗେଟ ହୋଇଆସିଛି ।

କେନ୍ଦ୍ରୀୟ ଗାଜାର ଦେଇର ଅଲ-ବାଲାହରେ ଥିବା ଅଲ-ଆକସା ସହିଦ ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟରେ, ଗାଜା ସହରର ଶିଫା ହସ୍ପିଟାଲର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ସେମାନେ ଗୋଟିଏ ମୃତଦେହ ପାଇଛନ୍ତି ଏବଂ ଅନେକ ଆହତଙ୍କୁ ଭର୍ତ୍ତି କରିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲ ସହରକୁ କବଜା କରିବା ପାଇଁ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିବାରୁ ହସ୍ପିଟାଲ କର୍ମଚାରୀମାନେ ହସ୍ପିଟାଲରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ସମୟରେ, ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ହମାସ ଏବେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ବିଚାର କରୁଛି । ଏହି ଯୋଜନା ଅନୁଯାୟୀ, ହମାସକୁ ୪୮ ଜଣ ବନ୍ଧକଙ୍କୁ ଫେରାଇବାକୁ ପଡିବ, ଯେଉଁଥିରେ ପ୍ରାୟ ୨୦ ବନ୍ଧକଙ୍କୁ ଇସ୍ରାଏଲ ଜୀବିତ ବୋଲି ବିଶ୍ୱାସ କରେ ।

ଏଥିସହ ଜାଣିରଖନ୍ତୁ ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ହେଲେ, ଅନେକ ଏହାକୁ ଇସ୍ରାଏଲର ସପକ୍ଷରେ ବୋଲି ଭାବୁଛନ୍ତି । ବୁଧବାର ଦିନ ଅଧିକାରୀ କହିଛନ୍ତି ଯେ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କ ସମ୍ମତିରେ ପଠାଯାଇଥିବା ଏହି ପ୍ରସ୍ତାବର କିଛି ଅଂଶକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ଏଥିରେ ସଂଶୋଧନ କରାଯିବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ପାଲେଷ୍ଟାଇନ ଗୋଷ୍ଠୀଙ୍କ ସହିତ ପରାମର୍ଶ କରିବା ପରେ ଏକ ସରକାରୀ ପ୍ରତିକ୍ରିୟା ଦିଆଯିବ ।

Leave A Reply

Your email address will not be published.