
କାହା ଛତ୍ର ଛାୟା ତଳେ ବାଲି ମାଫିଆ…??
ଋଷିକୂଲ୍ୟା ନଦୀବନ୍ଧ ଭାଙ୍ଗି ଧରାକୋଟର ୩୦ ଏକର ଚାଷଜମିରେ ବାଲି ମାଡ଼ିଲା
ବ୍ରହ୍ମପୁର: ଧରାକୋଟ ବ୍ଲକର କୁଶପଡ଼ାଠାରେ ଋଷିକୂଲ୍ୟା ନଦୀବନ୍ଧକୁ କାଟି ବାଲି ଚାଲାଣ କରୁଥିବା ମାଫିଆମାନେ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମର ଜୀବନରେଖା ଋଷିକୂଲ୍ୟା ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀକୂଳିଆ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ। ଏହାସହ ଶହ ଶହ ହେକ୍ଟର ଚାଷଜମିରେ ବାଲି ମାଡ଼ିଯାଇ ଫସଲ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରି ତହସିଲଦାର ଓ ଥାନା ଅଧିକାରୀଙ୍କୁ ଘେରି ପ୍ରବଳ ପାଟିତୁଣ୍ଡ କରିଥିଲେ।

ଗତ ଦୁଇ ଦିନର ଲଗାଣ ବର୍ଷା ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଅଧିକ ସଙ୍ଗିନ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ହଠାତ୍ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଏହାର ପ୍ରଭାବରେ ନୂଆଗଡ଼, ବ୍ରହ୍ମଣଦେଇ ଆଦି ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ଉପରେ ଜଳ ପ୍ରବାହିତ ହୋଇଥିଲା। ସେହିପରି ସିଙ୍ଗିପୁର, ଧବଳେଶ୍ୱର ଓ କୁଶପଡ଼ା ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିଲା।
କୁଶପଡ଼ା ନିକଟରେ ଋଷିକୂଲ୍ୟା ନଦୀର ହିଡ଼ ଭାଙ୍ଗିଯିବା ଫଳରେ ବନ୍ୟାଜଳ ପଶି ଗ୍ରାମର ଚାଷୀମାନଙ୍କର ପ୍ରାୟ ୩୦ ଏକର ଜମିରେ ବାଲି ମାଡ଼ିଯାଇ ଫସଲ ନଷ୍ଟ ହୋଇଛି। ଧାନ ଜମି ସହିତ ଅନ୍ୟାନ୍ୟ ପରିବା ଚାଷରେ ମଧ୍ୟ ନଦୀଜଳ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି।
ପ୍ରକାଶଯୋଗ୍ୟ, ଗତ ଏକବର୍ଷ ପୂର୍ବେ ଭଞ୍ଜନଗର ଜଳସେଚନ ବିଭାଗ ତରଫରୁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ବରଡ଼ବିଲି, କହିରାପଲ୍ଲୀ, କୁଶପଡ଼ା ସମେତ ଜାନିବିଲ୍ଲି ଆନିକଟ ପର୍ଯ୍ୟନ୍ତ ନୂତନ ନଦୀ ହିଡ଼ ନିର୍ମାଣ କରାଯାଇଥିଲା। କିନ୍ତୁ ଜାହାଡ଼ା ବାଲି ଲିଜ୍ ନେଇଥିବା ଲିଜ୍ ଧାରୀ ବେଆଇନ ଭାବେ କୁଶପଡ଼ା ଗ୍ରାମ ନିକଟରୁ ନଦୀବନ୍ଧକୁ କାଟି ବାଲି ଚାଲାଣ କରୁଥିଲେ। ଏହି କଟାଯାଇଥିବା ରାସ୍ତା ଦେଇ ବନ୍ୟାଜଳ ଧାନ ଓ ବିଭିନ୍ନ ପରିବା କ୍ଷେତରେ ପ୍ରବେଶ କରି ବାଲି ମାଡ଼ି ଯାଇଥିବା କୁଶପଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।
ଘଟଣା ସମ୍ପର୍କରେ ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ନିୟମ ପ୍ରକାରେ କ୍ଷତିପୂରଣ ଦିଆଯିବ ଏବଂ ଜଳସେଚନ ବିଭାଗ ତରଫରୁ ଖୁବ୍ ଶୀଘ୍ର ନଦୀର ହିଡ଼ ପୁନଃନିର୍ମାଣ କରାଯିବ।
ଘଟଣାସ୍ଥଳରେ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମଧ୍ୟାହ୍ନ ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତିଭାସନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ବିଭାଗର ପଦାଧିକାରୀମାନେ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ବେଳେ ଗ୍ରାମବାସୀଙ୍କ ଏକମାତ୍ର ଦାବି ଥିଲା ସେମାନଙ୍କ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ପ୍ରଦାନ କରିବା ଏବଂ ଅତିଶୀଘ୍ର ହିଡ଼ ମରାମତି କାର୍ଯ୍ୟ ଶେଷ କରିବା।
ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାରେ ବାଲି ମାଫିଆମାନେ ସ୍ଥାନୀୟ ନେତାଙ୍କ ସହ ମଧୁଚନ୍ଦ୍ରିକା ରଖି ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି। ସରକାରୀ ଜମି ହେଉ କିମ୍ବା ସାଧାରଣ ଲୋକଙ୍କ ଜମି ହେଉ, ସେଠାରେ ରାସ୍ତା ନିର୍ମାଣ କରି ଚୋରା ବାଲି ଚାଲାଣ କରୁଛନ୍ତି। ଏହାସାଙ୍ଗକୁ ଜଳସମ୍ପଦ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବନ୍ୟା ଦାଉରୁ ରକ୍ଷା ପାଇଁ ସୁରକ୍ଷା ପାଚେରୀ ଓ ନଦୀବନ୍ଧ ନିର୍ମାଣ କରୁଥିବା ବେଳେ ବାଲି ମାଫିଆମାନେ ନେତାଙ୍କ ଛତ୍ରଛାୟା ତଳେ ରହି ନଦୀବନ୍ଧକୁ କାଟି ବାଲି ଚାଲାଣ କରୁଥିବା ଅଭିଯୋଗ ହେଉଛି। ଋଷିକୂଲ୍ୟା ନଦୀର ବାମ ପଟର ନଦୀବନ୍ଧକୁ ବେଆଇନ ଭାବେ କାଟି ଦେବା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣ ରେ ଅଭିଯୋଗ ହୋଇଛି l ଏବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ଙ୍କ ଆଦେଶ କୁ ପୋଲିସ କିପରି ଗ୍ରହଣ କରୁଛି ତାହା ସମୟ କହିବ…