
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବର ୨୨ ତାରିଖରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ତା’ପୂର୍ବରୁ ବିହାର ବିଧାନସଭାର ନିର୍ବାଚନ ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି । ଏହାସହିତ ବିହାରରେ ଏସଆଇଆର ପ୍ରକ୍ରିୟା ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।
ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିହାରରେ ମୋଟ ୨୪୩ ବିଧାନସଭା ସିଟ୍ ରହିଛି । ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ହିଁ ନିର୍ବାଚନ ଶେଷ ହେବ । ବିହାର ସହ ଅନ୍ୟ ଅଞ୍ଚଳର କୌଣସି ବୁଥରେ ବି ୧୨ ଶହରୁ ଅଧିକ ଭୋଟର ଭୋଟ୍ ଦେବେନି ।
ବିଏଲଓ ଯେତେବେଳେ ଭୋଟରଙ୍କ ପାଖକୁ ଯିବେ, ସେତେବେଳେ ତାଙ୍କୁ ଚିହ୍ନିବା ପାଇଁ ଆଇଡି କାର୍ଡର ବ୍ୟବସ୍ଥା କରାଯାଇଛି । ଭୋଟରଙ୍କୁ ଦିଆଯାଇଥିବା ଭୋଟର ସ୍ଲିପ ବୁଥରେ ନମ୍ବର ବଡ଼ ଅକ୍ଷରରେ ଲେଖାଯିବ । ଯାହାଫଳରେ ବୁଥ ଖୋଜିବା ସୁବିଧା ହେବ । ଏହାସହିତ ଏବେ ପୋଲିଂ ବୁଥ ବାହାରେ ମୋବାଇଲ ଜମା କରିବା ନେଇ ସୁବିଧା ରହିବ । ସମସ୍ତ ୯୦ ହଜାର ପୋଲିସ ବୁଥରେ ଏହି ସୁବିଧା ରହିବ ।
ସେ ଆହୁରି ମଧ୍ୟ କହିଛନ୍ତି, ବିହାରରେ ଓ୍ୱାନ୍ ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ଆରମ୍ଭ କରାଯିବ । ବୁଥରୁ ଶହେ ମିଟର ଭିତରେ ପ୍ରାର୍ଥୀମାନେ ନିଜର ଏଜେଣ୍ଟମାନଙ୍କୁ ନିଯୁକ୍ତ କରିପାରିବେ । ସବୁ ପୋଲିଂ ଷ୍ଟେସନର ଓ୍ୱେବ୍ କାଷ୍ଟିଂ ହେବ । ୧୦୦ ପ୍ରତିଶତ ୱେବ କାଷ୍ଟିଂ ହେବ । ପୂର୍ବରୁ ଇଭିଏମରେ ବାଲାଟ୍ ପେପର କଳାଧଳା ରଙ୍ଗର ଆସୁଥିଲା । ହେଲେ ଏବେ କିନ୍ତୁ ବିହାର ନିର୍ବାଚନରେ ପ୍ରାର୍ଥୀମାନଙ୍କର ରଙ୍ଗୀନ ଫଟୋ ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।