
କୋଣାର୍କ: କାହିଁ କେଉଁ କାଳରୁ ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗାଁରେ ରହି ଆସିଛି ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ । ଯାହାକି ଗୁପ୍ତ ଶ୍ରୀକ୍ଷେତ୍ର ନାମରେ ବେଶ ପରିଚିତ । ଉକ୍ତ କ୍ଷେତ୍ରରେ ଉନ୍ନତି ନେଇ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ବିଗତ ସରକାର ଅମଳରେ ଯାହା କିଛି ଉନ୍ନତି ହୋଇଛି ତାହା ସମୁଦ୍ରକୁ ସଙ୍ଖେ ସଦୃଶ । କାହିଁକି ନାଁ ଲକ୍ଷ୍ମୀ ପୁରାଣ ଏବଂ ଦାଣ୍ଡି ରାମାୟଣ ସହ ଜଡ଼ିତ—ସାଂସ୍କୃତିକ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁରେ ଉନ୍ନତି କରିବା ପାଇଁ ଦାବି ହୋଇ ଆସୁଥିଲା ।
ପୀଠର ସମିତି ସଭ୍ୟମାନେ ଏହି ପ୍ରକଳ୍ପ ଐତିହାସିକ ମହତ୍ତ୍ୱ ସଂରକ୍ଷଣ କରିବା ସହ ଅଧିକ ପର୍ଯ୍ୟଟକ ଆଗମନ, ଚାକିରି ସୁଯୋଗ ଏବଂ ସ୍ଥାନୀୟ କଳା ଓ ପରମ୍ପରାର ପ୍ରଚାର ମାଧ୍ୟମରେ ଅର୍ଥନୈତିକ ଉନ୍ନତି ଆଣିବ ବୋଲି ଆଶାବାଦୀ ଥିଲେ । ନୂତନ ସରକାର ହେବା ପରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ କଳିଙ୍ଗ ଟିଭିର ଏକ ସ୍ୱତନ୍ତ୍ର ଅଧ୍ୟାୟରେ ପୀଠର ଉନ୍ନତିକରଣ ଏବଂ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିବା ନେଇ ଏକ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏବେ ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡିଛି ଏହି ପୀଠ ଉପରେ ।
ପ୍ରାଥମିକ ପର୍ଯ୍ୟାୟରେ ୨୨ କୋଟି ଟଙ୍କା ଅନୁଦାନ ମିଳିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ସମିତି ମାନନୀୟା ଉପ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଗୋପ କୋଣାର୍କ ମୁଖ୍ୟ ରାସ୍ତାର ଗୋପ କଲେଜ ଛକ ଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ । ଏଠାକୁ ନାଁ ଅଛି ଭଲ ରାସ୍ତା ନାଁ ଅଛି ବିଜୁଳି ବ୍ୟବସ୍ଥା ନାଁ ହିଁ ରହିଛି ସୁଲଭ ପାନୀୟ ଜଳ ବ୍ୟବସ୍ଥା । ଏବେ କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ କରାଯିବ ଅବହେଳିତ ପଡ଼ିଥିବା ପୀଠର ଚାରିପାଖରେ ପାଚେରୀ ନିର୍ମାଣ ସହିତ କଲେଜ ଛକ ଓ ପୀଠରେ ତିନୋଟି ଗେଟ, ରହଣୀ ଗୃହ, ସଭା ମଣ୍ଡପ ତା ସହ କରାଯିବ ସମାଧି ପୀଠର ନବୀକରଣ ।
ଏହି ବିକାଶ କାର୍ଯ୍ୟ ଓଡ଼ିଶାର ଆଧ୍ୟାତ୍ମିକ ମହାପୁରୁଷମାନଙ୍କୁ ସମ୍ମାନ ଦେବାରେ ସରକାରଙ୍କ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି ବୋଲି ମତ ପ୍ରକାଶ ପାଇଛି । ତେବେ ସମାଧି ପୀଠ ନିମନ୍ତେ ଅନୁଦାନ ମିଳିବା ପରେ ଉକ୍ତ ପୀଠର ସମିତି ଏକ ବିଶେଷ ବୈଠକ ଆହ୍ୱାନ କରିଛନ୍ତି । ଯେଉଁଥିରେ ରାଜ୍ୟ ସରକାର ଓ ବିଶେଷକରି ସ୍ଥାନୀୟ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଏହି ଅନୁଦାନ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।