ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ସିଲଭର ସିଟିରେ ବଳବତ୍ତର ରହିବ କର୍ଫ୍ୟୁ

youtube

କଟକ : ସୁରକ୍ଷା ଭିତରେ ସିଲଭର ସିଟି । ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଦ୍ବିତୀୟ ଦିନରେ କଟକରେ କର୍ଫ୍ୟୁ। ଗତକାଲିର ବାଇକ ରାଲି ବେଳେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିଲା। ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ଆଜି ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ କର୍ଫ୍ୟୁ ପାଇଁ ଏହାର ପ୍ରଭାବ ବିଶେଷ ପରିଲଖିତ ହୋଇନାହିଁ ।

ଜରୁରୀ ସେବା, ସରକାରୀ କାର୍ଯ୍ୟାଳୟ, ବସ ଚଳାଚଳ ସ୍ବାଭାବିକ ରହିଛି। କିନ୍ତୁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ। କଟକରେ ସ୍ଥିତି ସ୍ବାଭାବିକ କରାଇବାକୁ ପୋଲିସ ପଇଁତରା ମାରୁଛି। ଫ୍ଲାଗ ମାର୍ଚ୍ଚ ସହ ବଜ୍ରଯାନରେ ବୁଲି ସ୍ଥିତି ନିରୀକ୍ଷଣ କରୁଛି ସୁରକ୍ଷାବଳ। ସୁରକ୍ଷା ପାଇଁ ରାପିଡ ଆକ୍ସନ ଫୋର୍ସ, ବିଏସଏଫ, ସିଆରପିଏଫ ସମେତ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।  ଗତକାଲି ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି।

ପୋଲିସ ଉପରକୁ ପଥରମାଡ଼ ଓ ବିଶୃଙ୍ଖଳା ନେଇ ୩ଟି ମାମଲା ରୁଜୁ କରାଯାଇଛି। ୮ଜଣ ଗିରଫ ହୋଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଉଛି ।  ଗତକାଲି ଠାରୁ କଟକ ମହାନଗର ନିଗମ, ସିଡିଓ ଓ ୪୨ ମୌଜା ଅଞ୍ଚଳରେ ଇଣ୍ଟରନେଟ ସେବା ଉପରେ ନିଷେଧାଦେଶ ଜାରି ହୋଇଛି। ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗୁ ରହିଛି ।

ସୋସିଆଲ ମିଡିଆ ନେଇ ଆଡଭାଇଜରୀ ଜାରି କରିଛି ଓଡ଼ିଶା ପୋଲିସ। କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ବିଭ୍ରାନ୍ତିକର ପୋଷ୍ଟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।  ସେହିପରି ଗୁଜବ ଓ ମିଛ ପୋଷ୍ଟକୁ ବିଶ୍ବାସ ନକରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.