
ଛତିଶଗଡ଼ : ଛତିଶଗଡ଼ର କବିରଧାମ ଜିଲ୍ଲାରେ ମର୍ମନ୍ତୁଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଟ୍ରକ୍-ବୋଲେରୋ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।
ସୂଚନାନୁଯାୟୀ, ବୋଲେରୋ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଭୁଲ୍ ରୁଟରେ ଆସୁଥିବା ଟ୍ରକ୍ ସହ ଜୋରରେ ଧକ୍କା ହୋଇଥିଲା । ଫଳରେ ବୋଲେରୋ ଡ୍ରାଇଭର, ତିନି ଜଣ ମହିଳା ଶିକ୍ଷୟିତ୍ରୀ ଏବଂ ଅନ୍ୟ ଜଣେ ଯାତ୍ରୀଙ୍କର ଘଟଣାସ୍ଥଳେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଚିଲିଫ୍ ପୋଲିସ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।
ଅନ୍ୟପଟେ ପୋଲିସ ଟ୍ରାଫିକ୍ ସମସ୍ୟାକୁ ସ୍ବାଭାବିକ କରିବା ସହ ତଦନ୍ତ ଆରମ୍ଭ କରିଛି । ଏଥିସହ ସ୍ଥାନୀୟ ପ୍ରଶାସନ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛି ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ।