
ବିହାର : ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତଥା ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । ତେଜସ୍ବୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପ୍ରତି ପରିବାରରେ ସରକାରୀ ଚାକିରି ଦେବୁ ।
ପାଟନାରେ ଏକ ପ୍ରେସ କନଫରେନ୍ସରେ ତେଜସ୍ବୀ କହିଛନ୍ତି, ନିର୍ବାଚନ ବିଗୁଲ ବାଜିସାରିଛି । ଆଉ ସେମାନେ ବେରୋଜଗାରୀ ଭତ୍ତା ଦେବାକୁ କହୁଛନ୍ତି, ଚାକିରି ଦେବାକୁ କହୁନାହାନ୍ତି । କିନ୍ତୁ ବିହାରରେ ଏବେ ପରିବର୍ତ୍ତନ ହେବ, ନବଜାଗରଣ ହେବ । ହେଲେ ଆଜି ଆମେ ଆପଣଙ୍କ ପାଇଁ କ୍ରାନ୍ତିକାରୀ ଘୋଷଣା କରୁଛି । ଏହା ଆମର ପ୍ରଥମ ଘୋଷଣା ଶେଷ ଘୋଷଣା ନୁହେଁ । ଏହାପରେ ନିଜର ଲକ୍ଷ୍ୟ ଆପଣଙ୍କ ସାମ୍ନାରେ ରଖିବୁ ।
ବିହାରରେ ଜିତିବା ପରେ ଯେଉଁ ପରିବାରରେ ସରକାରୀ ଚାକିରି ନାହିଁ, ସେହି ପରିବାରକୁ ୨୦ ଦିନ ଭିତରେ ସରକାରୀ ଚାକିରି ଦେବୁ । ତେବେ ଆମେ କିଭଳି ଦେବୁ, ତାହା ମଧ୍ୟ ଆପଣଙ୍କୁ କହିବୁ । ଆମେ ବିଶ୍ଳେଷଣ କରି ସମସ୍ତ ଜିନିଷ ନିଷ୍ପତ୍ତି ନେବୁ । ଆମେ ଲୋକମାନଙ୍କୁ ସାମାଜିକ ନ୍ୟାୟ ସହିତ ଆର୍ଥିକ ନ୍ୟାୟ ମଧ୍ୟ ଦେବୁ । ତେଜସ୍ବୀ ଯାହା କହୁଛି ସେୟା କରିବ ।
ଏହାଛଡା ତେଜସ୍ବୀ ଅଭିଯୋଗ କରିଛନ୍ତି କି, ଯେଉଁସବୁ ଘୋଷଣା ଆମେ କରୁଛୁ, ତାହାର ନକଲ ଏ ସରକାର କରୁଛି । ଗତ ୨୦ ବର୍ଷରେ ଏନଡିଏ ଅସୁରକ୍ଷା ଦେଇଛି କିନ୍ତୁ ଆମେ ପ୍ରତି ଘରକୁ ଚାକିରି ଦେବୁ । ବିହାରକୁ ସଠିକ୍ ଏବଂ ପରଫେକ୍ଟ ସରକାର ଦେବୁ । ବିହାର ନିର୍ବାଚନ ପାଇଁ ଆମ ଜନତା ଆମକୁ ନିଶ୍ଚିତ ଆଶୀର୍ବାଦ କରିବେ ବୋଲି ଆମର ଆଶା ।