
ବ୍ରହ୍ମପୁର : ଆଜି ଅକ୍ଟୋବର ୯ ତାରିଖ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀରେ ଆଜି ବ୍ରହ୍ମପୁର ଗିରିରୋଡ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଠାରେ ଏକ ଅଭାବନୀୟ ପରିସ୍ଥିତି ଦୃଷ୍ଟି ଗୋଚର ହୋଇଛି l ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଦୂରେଥାଉ ଏଭଳିକି ପ୍ରତିମୂର୍ତ୍ତି ସ୍ଥଳ ସଫା ସୁତରା ମଧ୍ଯ କଲାନାହିଁ l ବିଏମସି ର ଏଭଳି ଚରମ ଅବହେଳା ପାଇଁ ଆଜି ବୁଦ୍ଧିଜୀବୀଙ୍କ ମହଲରେ ଖୁବ୍ ଅସନ୍ତୋଷ ପ୍ରକାଶ ପାଇଛି l ଆଜି ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ପାଣିରେ ଧୋଇ ସଫା ସୁତରା କରିବା ସହ ଉକ୍ତ ସ୍ଥଳକୁ ମଧ୍ଯ ଝାଡୁ ମାରି ସଫା କରୁଥିବା ଦୃଷ୍ଟି ଗୋଚର ହୋଇଥିଲା , ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଥିଲା l
ଗୋପବନ୍ଧୁ ଜଣେ ମହାନ୍ ଦେଶଭକ୍ତ,ଶିକ୍ଷାବିତ୍, ସମାଜ ସଂସ୍କାରକ, କବି ଏବଂ ସାମ୍ୱାଦିକ ଥିଲେ l ତାଙ୍କର ବିଚାରଧାରା ମୁଖ୍ୟତଃ ରାଷ୍ଟ୍ରୀୟତା, ଶିକ୍ଷା,ମନବତାବାଦ ଏବଂ ସମାଜସେବା ଉପରେ ପର୍ଯ୍ୟବେସିତ ଥିଲା l ସେ ସମାଜରେ ପ୍ରଚଳିତ ଜାତିଗତ ଭେଦଭାବ ,ଅସ୍ପୃଶ୍ୟତା ଏବଂ ତଥାକଥିତ ଅନ୍ଧବିଶ୍ଵାସ ଓ କଠୋରତା ବିରୁଦ୍ଧରେ ସବୁବେଳେ ସ୍ଵର ଉତ୍ତୋଳନ କରିଥଲେ l ତାଙ୍କର ବିଚାର ଓ କାର୍ଯ୍ୟକଳାପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏକ ସମାନତା ଭିତ୍ତିକ ଓ ମାନବବାଦୀ ସମାଜ ଗଠନ କରିବା l ବିଭିନ୍ନ ଜାତି,ବର୍ଗର ପିଲା ମିଳିତ ଭାବେ ଏକାଠି ପାଠ ପଢିବା, ଖାଇବା, ରହିବା ଓ ଉତ୍ତମ ମଣିଷ ନିର୍ମାଣ ପାଇଁ ସେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥଲେ l ସମାନତା,ଭାଇଚାରା ଓ ମାନବତା ପ୍ରତି ତାଙ୍କ ଉଦ୍ୟମ ଚୀର ସ୍ମରଣୀୟ ହୋଇ ରହିଛି l ଆଜିର ସ୍ମରଣ ସଭାରେ ଅଲ୍ ଇଣ୍ଡିଆ ଖେତ ମଜଦୂର କିଶାନ ସଭାର ଗଞ୍ଜାମ ଜିଲ୍ଲା ସଭାପତି ଆଇନଜୀବି ଅବନୀ ଗୟା ଅଧ୍ୟକ୍ଷତା କରିଥିବା ବେଳେ ପୁର୍ବତନ ପ୍ରଧାନ ଶିକ୍ଷୟତ୍ରୀ କୁନି କୁମାରୀ ଦେବୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଶିକ୍ଷକ ସଂଗଠନର ନେତା ଶ୍ୟାମ ସୁନ୍ଦର ଖାଡ଼ାଙ୍ଗା, ମାନବ ଅଧିକାର ସୁରକ୍ଷା ମଞ୍ଚ ର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମାଜସେବୀ ବୃନ୍ଦାବନ ଖଟେଇ, ବିଜୟ ଚନ୍ଦ୍ର ବିଷୋୟୀ, ସୁରେନ୍ଦ୍ର ନାଥ ପଣ୍ଡା, ଏସ.ସାମ୍ବସିବା ରାଓ , ସୁବାଷ ଚନ୍ଦ୍ର ପାତ୍ର, ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l