ଜମି ବିବାଦ: ଭାଇ ନେଲା ଭାଇର ଜୀବନ

youtube

କେନ୍ଦୁଝର: ଜମି ଲୋଭ ପାଇଁ ଅପରାଧ । ରାଗ ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ । ଉଗ୍ରରୂପ ନେଲା ଜମି ବିବାଦ । ଭାଇର ଜୀବନ ନେଲା ଭାଇ । ବାପାଙ୍କ ପରେ ବଡ଼ ଭାଇ ହିଁ ସାନ ଭାଇର ସାହାର ସାଜେ । ସୁଖ ଦୁଃଖରେ ଭାଇ ସାଙ୍ଗରେ ଥିଲେ ମନୋବଳ ଦ୍ରୁଢ଼ ହୁଏ । କିନ୍ତୁ ଭାଇ ଯଦି ବଇରୀ ସାଜିବ ତେବେ କାହା ଉପରେ ବା ଭରସା କରିହେବ । ଆମେ ଏମିତି କହିବାର କାରଣ ହେଉଛି ନିକଟରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡ ।

ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି ବିବାଦ କେତେ ଉଗ୍ରରୂପ ନେଇପାରେ, ତାହା କେନ୍ଦୁଝରରେ ହୋଇଥିବା ଏକ ହତ୍ୟାକାଣ୍ତରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଜମିବାଡ଼ି ବିବାଦ କାରଣରୁ ସାନଭାଇକୁ ନୃଶଂସ ଭାବେ ହତ୍ୟା କଲା ବଡ଼ଭାଇ ଓ ପୁତୁରା । ସଦର ଥାନା ପୁଟୁଳିଆ ମଝି ସାହିରେ ଚନ୍ଦ୍ରଶେଖର ଦାସଙ୍କୁ ତାଙ୍କର ବଡ଼ଭାଇ କିରଣ ଦାସ ଓ ପୁତୁରା ସତ୍ୟଜିତ ଦାସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ବିବାଦୀୟ ଜମିରେ ବଡ଼ଭାଇ କିରଣ ଦାସ ଘର ଆରମ୍ଭ କରିବାକୁ ଗାତ ଖୋଳିଥିଲେ । ଏହାକୁ ବିରୋଧ କରିଥିଲେ ସାନଭାଇ ଚନ୍ଦ୍ରଶେଖର ଦାସ । ଏନେଇ ସଦର ଥାନାର ଦ୍ୱାରସ୍ଥ ବି ହୋଇଥିଲେ ଚନ୍ଦ୍ରଶେଖର । ତେବେ ଗତ ୮ ସେପ୍ଟେମ୍ବର ଅପରାହ୍ନ ୪ଟା ସମୟରେ ବଡ଼ଭାଇ କିରଣ ଓ ସାନଭାଇ ଚନ୍ଦ୍ରଶେଖରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ବିବାଦ ଏତେ ବଢ଼ିଲା ଯେ ବଡ଼ ଭାଇ ନିଜ ସାନ ଭାଇକୁ ଖୋଳା ଯାଇଥିବା ଗାତ ଭିତରକୁ ଠେଲି ଦେଇଥିଲା । ଚନ୍ଦ୍ରଶେଖର ଗାତରୁ ଉଠିପାରୁ ନଥିବା ବେଳେ କିରଣଙ୍କ ପୁଅ ସତ୍ୟଜିତ ଏକ ଧାରୁଆ ଅସ୍ତ୍ରରେ ଚନ୍ଦ୍ରଶେଖରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ।

ତେବେ ଗୁରୁତର ଅବସ୍ଥାରେ ଚନ୍ଦ୍ରଶେଖରଙ୍କୁ ଧରଣୀଧର ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଚନ୍ଦ୍ରଶେଖରଙ୍କୁ ଆକ୍ରମଣ କରୁଥିବା ବେଳେ ଚନ୍ଦ୍ରଶେଖରଙ୍କ ସ୍ତ୍ରୀ ଛଢ଼ାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଯେଉଁଥିରେ  ତାଙ୍କର ଏକ ହାତ ଭାଙ୍ଗି ଯାଇଥିବା ଚନ୍ଦ୍ରଶେଖରଙ୍କ ପୁଅ ଅଭିଯୋଗ କରିଛନ୍ତି ।

ଭାଇ ହୋଇ ଭାଇର ଜୀବନ ନେଲା । ସାମାନ୍ୟ ଜମିବାଡ଼ିର ଲୋଭ ମଣିଷଙ୍କୁ ବାଇଆ କରୁଛି । ସେଥିପାଇଁ ତ ହିତାହିତ ଜ୍ଞାନ ହରାଇ ବସୁଛି ମଣିଷ । ଆଉ କରିବସୁଛି ଏମିତି କାଣ୍ଡ । ତେବେ ଘଟଣାରେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ।

Leave A Reply

Your email address will not be published.