
କଟକ: ଆସନ୍ତା ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଉପର ପଡିଆରେ କଟକ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦିଆଯିବ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ବିଶେଷକରି କଟକର ପାରମ୍ପରିକ ଖାଦ୍ୟ, ଦହିବରା ଆଳୁଦମ୍, ଠୁଙ୍କାପୁରୀ, ରୁପା ତାରକସି, ମାଟିରେ ତିଆରି ସାମଗ୍ରୀ ଓ ପାତ୍ର, ବାଉଁଶରୁ ତିଆରି ସାମଗ୍ରୀ, ଶିଙ୍ଗ କାମ, ଶିଳ, ଚକି ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ସମେତ ଦୋଳି ଆଦିର ସମ୍ଭାର ଏଠାରେ ଦେଖିବାକୁ ମିଳିବ।
ବିଶେଷକରି କେବଳ ବାଲିଯାତ୍ରା ସମୟରେ ଯେଉଁସବୁ ପାରମ୍ପରିକ ଜିନିଷ ଉପଲବ୍ଧ ହୋଇଥାଏ ସେହିସବୁ ଜିନିଷର ଷ୍ଟଲ ଉପର ପଡ଼ିଆରେ ରହିବ। ଏଥିସହ ଏଠାରେ ଗାଡି ପାର୍କିଂର ବ୍ୟବସ୍ଥା ମଧ୍ୟ ରହିବ। ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପୂର୍ବକ ଉଚ୍ଚ ନ୍ୟାୟାଳୟଙ୍କ ସହମତି କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଦିବ୍ୟଲୋଚନ ମହାନ୍ତ କହିଛନ୍ତି।
ଅନ୍ୟପକ୍ଷରେ ବାଲିଯାତ୍ରା ପ୍ଲଟ ପଞ୍ଜିକରଣ ଆସନ୍ତା ୧୨ ତାରିଖ ଅପରାହ୍ନ ୫ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସଠାରେ ଚାଲୁ ରହିବ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଇଚ୍ଛୁକ ବ୍ୟବସାୟୀ ପ୍ଲଟ୍ ପଞ୍ଜିକରଣ କରିପାରିବେ । ଆଉ ମାତ୍ର ୫୦୦ ପ୍ଲଟ ପଞ୍ଜିକରଣ ପାଇଁ ବାକି ଥିବାରୁ ବ୍ୟବସାୟୀମାନେ ଖୁବଶୀଘ୍ର ପଞ୍ଜିକରଣ କରାଇନେବାକୁ କୁହାଯାଇଛି। ଚଳିତଥର ତଳ ବାଲିଯାତ୍ରା ପଡିଆରେ ଭିଟେଂଜ୍ କାର ପ୍ରଦର୍ଶନୀ, ମିଶନ୍ ଶକ୍ତି ଏନକ୍ଲୋଜର୍, ଏମଏସଏମଇ ଏନକ୍ଲୋଜର ଓ ଅଟୋ ଏନକ୍ଲେଭ ଭଳି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଚଳିତଥର ଓରମାସ ବ୍ୟତୀତ ସମୁଦାୟ ୧୬୫୪ଟି ଷ୍ଟଲ ଖୋଲାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ଏକ ଆପ୍ ମଧ୍ୟ ପ୍ରଶାସନ ପକ୍ଷରୁ ତିଆରି କରାଯାଇଛି, ଯାହାଦ୍ୱାରା ଜଣେ ବ୍ୟକ୍ତି କେଉଁଠାରେ କେଉଁ ଜିନିଷର ସମ୍ଭାର ଏବଂ ଜନସାଧାରଣଙ୍କ ପାଇଁ ଥିବା ସୁବିଧା ସୁଯୋଗ ଯଥା – ଶୌଚାଳୟ, ଏଟିଏମ୍ କାଉଂଟର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୁଲିସ୍ ସହାୟତା କେନ୍ଦ୍ର, ପ୍ରବେଶ ଓ ପ୍ରସ୍ଥାନ ପଥ, ବାଲିଯାତ୍ରା ପଡିଆର ପ୍ରମୁଖ ଆକର୍ଷଣ ଇତ୍ୟାଦି ସମ୍ପର୍କରେ ଜାଣି ହେବ।