
ସୁବର୍ଣ୍ଣପୁର: ସାଇକେଲରେ ଯାଇ ଲୋକଙ୍କ ଗୁହାରି ଶୁଣିଲେ ବିଡିଓ । ଏକେଉଁ ମନଗଢା କାହାଣୀ କି ସିନେମାର ଦୃଶ୍ୟ ନୁହେଁ, ଜଣେ ମଣିଷ ଜୀବନର ବାସ୍ତବିକ ଘଟଣା । ଯାହାକି ମନକୁ ଛୁଇଁଲା ଭଳି କଥାଟିଏ । ଏ ସମାଜରେ ସଭିଏ ନିଜ ନିଜ କାମରେ ବ୍ୟସ୍ତ । କାହାକୁ କାହା କଥା ଭାବିବାକୁ ବି ସମୟ ନାହିଁ । କିନ୍ତୁ ଏହାରି ଭିତରେ ଜଣେ ବିଡିଓ କିଛି ଭିନ୍ନ କରି ଆଜି ବେଶ ଚର୍ଚ୍ଚାରେ ଅଛନ୍ତି ।
କଥାରେ ଅଛି ସ୍ଵାସ୍ଥ୍ୟ ହିଁ ସମ୍ପଦ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର ବିଡିଓ ସଂଜୀବ କୁମାର ସାହୁ । ସୋମବାର ଦିନ ଏକ ଜଣଶୁଣାଣି ଥିବାବେଳେ ନିଜ ଗାଡିରେ ନଯାଇ ସେ ସାଇକେଲରେ ବାହାରି ଯାଇଥିଲେ । ଆଉ ୧୫ କିଲୋମିଟର ଦୂର କଲାପଥର ପଞ୍ଚାୟତରେ ହେବାକୁ ଥିବା ଜଣଶୁଣାଣୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ।
ସେଠାରେ ପହଞ୍ଚିବା ପରେ ଅପେକ୍ଷା କରିଥିବା ଲୋକଙ୍କ ଗୁହାରି ଶୁଣିଛନ୍ତି । ତାଙ୍କ କହିବା ଅନୁସାରେ କାର୍ଯ୍ୟାଳୟରେ କାମ କରିବା ସହିତ ସମୟ ବାହାର କରି ସ୍ଵାସ୍ଥ୍ୟପାଇଁ ମଧ୍ୟ କିଛି କରିବା ଦରକାର । ଆଜିକାଲିର ଲୋକମାନେ ଅଳସୁଆ ହେବା ସହ ଶରୀରର ଯତ୍ନ ନେଉନାହାନ୍ତି ।
ତେଣୁ ସେ ଚିନ୍ତା କରିଲେ ଲୋକଙ୍କର ସେବା କରିବା ସହ ସଚେତନତା ପାଇଁ ନିଜେ ଏଭଳି ଉଦ୍ୟମ କରିଥିବା କହିଛନ୍ତି ସୋନପୁର ବିଡିଓ । ଅପରପକ୍ଷରେ ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି । ସତରେ ବିଡ଼ିଓଙ୍କ ଏଭଳି ବିଚାରଧାରା ଖୁବ ପ୍ରଶଂସନୀୟ ।