
ବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତାଲିକା ଅନୁସାରେ ୭ ଥର ବିଧାୟକ ହୋଇଥିବା ନନ୍ଦ କିଶୋର ଯାଦବଙ୍କ ଟିକେଟ କାଟିଛି ବିଜେପି । ପାଟନା ସାହିବରୁ ରତ୍ନେଶ କୁଶୱାହାଙ୍କୁ ସୁଯୋଗ ମିଳିଛି ।
ନନ୍ଦ କିଶୋର ଯାଦବ ବ୍ୟତୀତ ମନ୍ତ୍ରୀ ମୋତିଲାଲ ପ୍ରସାଦଙ୍କ ଟିକେଟ ମଧ୍ୟ କଟିଛି । ଟିକେଟ କଟିବା ପରେ ନନ୍ଦ କିଶୋର ଯାଦବ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତି ସହିତ ରହିଛି । ବିଜେପି ମୋତେ ବହୁତ କିଛି ଦେଇଛି । ମୋର କୌଣସି ଅଭିଯୋଗ ନାହିଁ । ନୂଆ ପିଢିକୁ ସ୍ବାଗତ ଏବଂ ଅଭିନନ୍ଦନ । ପାଟନା ସାହିବ ବିଧାନସଭା ଲୋକ ମୋତେ ଲଗାତାର ୭ ଥର ବିଜୟୀ କରାଇଛି । ସମସ୍ତେ ମୋତେ ଯେଉଁ ଭଲପାଇବା ଓ ସ୍ନେହ ଦେଇଛନ୍ତି, ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ । ସମସ୍ତଙ୍କୁ ଧନ୍ୟବାଦ ।
ତେବେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍ ଦେଇଛି ବିଜେପି । ସେହିପରି ରାମ କୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ପ୍ରାର୍ଥୀ କରିଛି ।
ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ବୋଲି ଧାର୍ଯ୍ୟ ହୋଇଥିଲା । ଏହାସହ ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ । ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ।