ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

youtube

ପୁରୀ: ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍‌ କରି ଦର୍ଶନର ସୁଯୋଗ ପାଇବେ। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ ତିନି ପାର୍ଶ୍ବର ଉନ୍ନତୀକରଣ କରାଯିବ। ଗୁଣ୍ଡିଚା ମନ୍ଦିର ଭିତର ବେଢ଼ା ଓ ବାହାର ବେଢ଼ାର ପୁନଃ ଉନ୍ନତୀକରଣର ପ୍ରସ୍ତାବିତ ଡିଜାଇନ୍‌ ଓ ମାଷ୍ଟରପ୍ଲାନ୍‌ର ସମୀକ୍ଷା କରାଯାଇଛି। ଇନ୍ଦ୍ରଦ୍ୟୁମ୍ନ ଓ ନୃସିଂହ ମନ୍ଦିରର ଉନ୍ନତୀକରଣ ନେଇ ମଧ୍ୟ ଆଲୋଚନା କରାଯାଇଛି।

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରକଳ୍ପ ସାଂସ୍କୃତିକ ସବ୍‌କମିଟି ଏବଂ ପ୍ରକଳ୍ପ ବୈଷୟିକ ସବ୍‌କମିଟି ଯୁଗ୍ମ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ବୈଠକର ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବୈଠକରେ ଶ୍ରୀମନ୍ଦିର ଭିତର ପାର୍ଶ୍ବରେ ସମସ୍ତ ଲୁହା ବାଡ଼କୁ ଅପସାରଣ କରି ପିତଳ ବାଡ଼ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଏହି ପଦକ୍ଷେପ ସ୍ବରୂପ ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ପାର୍ଶ୍ବ, ବେହରଣ ଦ୍ବାର ପାଖରେ ଲୁହାବାଡ଼ ହଟାଇ ପିତଳବାଡ଼ ଲଗାଯାଇସାରିଛି। ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ଆଲୋକୀକରଣ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ଆସିଥିବା ବେଳେ ଏହାକୁ ସବ୍‌କମିଟି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ଦିର, ଜଗମୋହନ, ଗର୍ଭଗୃହ, ନାଟମଣ୍ଡପ‌ ଓ ଭୋଗ ମଣ୍ଡପକୁ ଛାଡ଼ି ଆନନ୍ଦ ବଜାର, ପାର୍ଶ୍ବବର୍ତ୍ତୀ ମନ୍ଦିର, ମେଘନାଦ ପାଚେରି, କୂର୍ମ ବେଢ଼ାକୁ ଆଧୁନିକ ଢଙ୍ଗରେ ଆଲୋକୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ସେବାୟତ ନିଯୋଗ ସହ ଆଲୋଚନା କରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ପଛ ପାର୍ଶ୍ବରେ ସଜଡ଼ା ହେଉଥିବା ଜମିରେ ନୂଆ ଭକ୍ତ ନିବାସ ସ୍ଥାପନ ପାଇଁ ପ୍ରସ୍ତାବ ଅଣାଯାଇଥିଲା। ତାକୁ ସବ୍‌କିମିଟି ଅନୁମୋଦ କରିଛି। ଅବଢ଼ା‌ ଯୋଜନାରେ ଏହାକୁ କରିବା ପାଇଁ ପ୍ରସ୍ତାବ ରଖାଯାଇଛି।

Leave A Reply

Your email address will not be published.