ବିପଜ୍ଜନକ ସ୍ତରରେ ପ୍ରଦୂଷଣ ସ୍ତର, ରାଜଧାନୀରେ କ୍ଲାଉଡ୍ ସିଡିଂ ପାଇଁ ପ୍ରସ୍ତୁତି ଶେଷ

youtube

ଦିଲ୍ଲୀ: ସମସ୍ତ ଚେଷ୍ଟା ପରେ ବି ପ୍ରଦୂଷଣର ମାତ୍ରା କମିବାର ନା ନେଉନି । ଏଥର ଦୀପାବଳି ପୂର୍ବରୁ ହିଁ ଦିଲ୍ଲୀର ବାୟୁ ବିଷାକ୍ତ ହୋଇଯାଇଛି । ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ବିପଜ୍ଜନକ ସ୍ତରରେ ପହଞ୍ଚିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଗାଡ଼ି ଗୁଡ଼ିକରୁ ବାହାରୁଥିବା ଧୂଆଁ ପ୍ରଦୂଷଣର ମୁଖ୍ୟ କାରଣ । ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବେ କୃତ୍ରିମ ବର୍ଷା ବା କ୍ଲାଉଡ୍ ସିଡିଂ ପାଇଁ ଏକ ତାରିଖ ସ୍ଥିର କରିଛନ୍ତି ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି ଯେ କ୍ଲାଉଡ୍ ସିଡିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପାଣିପାଗ ବିଭାଗରୁ ଅନୁମୋଦନ ପାଇବା ମାତ୍ରେ, ରାଜଧାନୀର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ କୃତ୍ରିମ ବର୍ଷା କରାଯିବ । ଏହି ନକଲି ବର୍ଷା ଦୀପାବଳି ପରଦିନ କରାଯିବା ପାଇଁ ପ୍ଲାନିଂ କରାଯାଉଛି । ଏହାର ଅର୍ଥ ହେଉଛି ନକଲି ବର୍ଷା ପାଇଁ ୨୧ ଅକ୍ଟୋବର ତାରିଖକୁ ଠିକ୍ କରାଯାଇଛି ।

କ୍ଲାଉଡ୍ ସିଡିଂର ପ୍ରଥମ ପରୀକ୍ଷଣ ଉତ୍ତର ଦିଲ୍ଲୀରେ କରାଯିବ । ଗତ ଚାରି ଦିନ ଧରି ପାଇଲଟମାନେ ମେରଠରୁ ବିମାନ ଉଡ଼ାଇ ଦିଲ୍ଲୀର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଭ୍ୟାସ କରୁଛନ୍ତି । ପାଇଲଟମାନେ ଯେଉଁଠାରେ କ୍ଲାଉଡ୍ ସିଡିଂ କିମ୍ବା ବ୍ଲାଷ୍ଟିଂ କରାଯିବ ସେହି ଉଚ୍ଚତାକୁ ବିମାନ ନେଇ ଅଭ୍ୟାସ କରୁଛନ୍ତି । ସିରସା କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ସମେତ ସମସ୍ତ ୨୩ଟି ବିଭାଗରୁ ଆବଶ୍ୟକୀୟ ଅନୁମୋଦନ ମିଳିଛି । ଏବେ ସରକାର କ୍ଲାଉଡ୍ ସିଡିଂ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

କ୍ଲାଉଡ ସିଡିଙ୍ଗ ଦ୍ୱାରା ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବର୍ଷା କରାଯାଇ ପାରିବ । ଏହା ଦ୍ୱାରା ବର୍ତ୍ତମାନ ମରୁଡ଼ି ଏବଂ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ ହୋଇ ପାରୁଛି । ତେବେ କ୍ଲାଉଡ ସିଡିଙ୍ଗ ସମୟରେ, ଏକ ବିମାନରୁ ଅନେକ କ୍ଲାଉଡ ସିଡ୍‌ ବାଦଲରେ ବିଛା ଯାଏ, ଏହା ପରେ ହିଁ ଆକାଶରେ ବାଦଲ ଭରିଯାଏ ଏବଂ କିଛି ସମୟ ପରେ ବର୍ଷା ହୋଇଥାଏ । କିନ୍ତୁ ଏହି ପ୍ରକ୍ରିୟା ବହୁତ କଠିନ ହୋଇଥାଏ ।

ଏହି କ୍ଲାଉଡ ସିଡକୁ ସାଇଣ୍ଟଫିକ ଉପାୟରେ ଲ୍ୟାବରେ ପ୍ରସ୍ତୁତ କରାଯାଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଶୁଖିଲା ବରଫ, ଲୁଣ, ସିଲଭର୍‌ ଆୟୋଡାଇଡ ସହିତ ଅନେକ ରାସାୟନିକ ପଦାର୍ଥ ଏଥିରେ ମିଶା ଯାଇଥାଏ । ଏହାକୁ ପ୍ରସ୍ତୁତ କରିବା ପରେ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଏହାକୁ ବୁଣା ଯାଏ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ପ୍ରକାର ଚାଷ ପରି କରାଯାଇଥାଏ, ସେଥିପାଇଁ ଏହାକୁ କ୍ଲାଉଡ ସିଡିଙ୍ଗ କୁହାଯାଇଥାଏ ।

Leave A Reply

Your email address will not be published.