
ଭୁବନେଶ୍ବର: ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯିବ ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ସଚେତନତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରାୟ ୮୨ କୋଟି ଲୋକ ଅର୍ଥାତ ୫୫ ପ୍ରତିଶତ ଲୋକ ଆଜି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି। ଆମ ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ଡିଜିଟାଲ୍ ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇଯାଇଛୁ। ଇଣ୍ଟରନେଟ୍ ଓ ଟେକ୍ନୋଲୋଜି ଆମ ପାଇଁ ଅପରିହାର୍ଯ୍ୟ ହୋଇପଡିଛି।
ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଏହା ସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏ କ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ଏଥି ସହିତ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର ଗଠନ କରାଯିବ ଏବଂ ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବରେ କାର୍ଯ୍ୟ କରିବ ।