
ବ୍ରହ୍ମପୁର, ଅକ୍ଟୋବର: ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ ଯୋଗାଇବା ଏବଂ ଗ୍ରାମୀଣ ଉପଭୋକ୍ତାଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ନିଆଯାଇଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ୟୁଟିଲିଟି–ଲେଡ୍ ଆଗ୍ରିଗେସନ୍ (ୟୁଏଲ୍ଏ) ମଡେଲ ଅଧୀନରେ ସୌର ଶକ୍ତିକୁ ଆପଣେଇବା ପାଇଁ ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ଟିପିଏସ୍ଓଡିଏଲ୍ । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଶକ୍ତିକୁ ସହଜ ଓ ସୁଲଭ ମୂଲ୍ୟରେ ସଭିଙ୍କ ପାଖରେ ତଥା ଗ୍ରାମୀଣ ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବା ସହିତ ଗୁଣାତ୍ମକ ସୌର ପ୍ୟାନେଲ ସ୍ଥାପନ, ସୁରକ୍ଷା ଓ ଏକ ସ୍ଥାୟୀ ଏବଂ ଦୀର୍ଘମିଆଦୀ ବିକାଶକୁ ସୁନିଶ୍ଚିତ କରିବା। ୟୁଏଲ୍ଏ ମଡେଲ ଯୋଜନା ମାଧ୍ୟମରେ ଟିପିଏସ୍ଓଡିଏଲ୍ ଏକ ସଂଯୋଗ ହିସାବରେ କାର୍ଯ୍ୟ କରୁଛି ଯିଏ ଗ୍ରାହକମାନଙ୍କର ଚାହିଦାକୁ ଏକତ୍ରିତ କରିବା, ବୈଷୟିକ ପରିଚାଳନା ଏବଂ ଦକ୍ଷିଣ ଓଡ଼ିଶାର ଗାଁ’ଗୁଡ଼ିକରେ ନିରବଚ୍ଛିନ୍ନ ଭାବରେ ସୌର ପ୍ୟାନେଲ ସ୍ଥାପନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଇଲେକ୍ଟ୍ରିକାଲ ଡିଭିଜନ ଅଧୀନସ୍ଥ ଭାଟକୁମରଡ଼ା ଗ୍ରାମପଞ୍ଚାୟତ, ଭାଟକୁମରଡ଼ା ଗାଁର ଶ୍ରୀ ପ୍ରଭାକର ବେହେରାଙ୍କ ଘରେ ୧କିଲୋୱାଟ୍ କ୍ଷମତା ବିଶିଷ୍ଟ ରୁଫ୍ ଟପ୍ ସୌର ପ୍ୟାନେଲ ସଫଳତାର ସହିତ ସ୍ଥାପନ ହୋଇଛି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ସୌର ପ୍ୟାନେଲ ସ୍ଥାପନ ପୂରା ଗାଁ ପାଇଁ ଏକ ବିଶେଷ ସଫଳତା ଅଟେ, ଯେଉଁଠି ସୌର ଶକ୍ତିକୁ ଏକ ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଉଛି।
ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ୟୁଏଲ୍ଏ ମଡେଲ ଅଧୀନରେ ଭାଟକୁମରଡ଼ା ଗାଁର ପ୍ରାୟ ୨୨ଜଣ ଉପଭୋକ୍ତା, ପ୍ରତ୍ୟେକେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ପାଇଁ ୮,୭୪୭ଟଙ୍କା ଜମା କରିସାରିଛନ୍ତି। ତହିଁରୁ ୧୮ଜଣ ଉପଭୋକ୍ତାଙ୍କ ଘର ଛାତ ଉପରେ ଏକ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ସ୍ଥାପନ ସଫଳତାର ସହ ହୋଇ ସାରିଛି। ଏଥିସହିତ ବଳକା ଥିବା ସ୍ଥାପନ ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବ। ଏହି ସମସ୍ତ ପ୍ରକ୍ରିୟା ତଥା ସମସ୍ତ ସୌର ପ୍ୟାନେଲ ସ୍ଥାପନ ହୋଇ କାର୍ଯ୍ୟକ୍ଷମ ହେଲେ ସମ୍ପୂର୍ଣ୍ଣ ଗାଁ ଏକ ରୂପାନ୍ତରଣର ସାକ୍ଷୀ ହେବ। ଯେଉଁଠାରେ ପୂରା ଗାଁର ବିଜୁଳି ଗ୍ରୀଡ୍ ଉପରେ ନିର୍ଭରତା ହ୍ରାସ ପାଇବ, ବିଜୁଳି ବିଲ୍ କମ୍ ହେବା ସହିତ ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ଗଠନରେ ଭାଗିଦାରୀ ହୋଇପାରିବ।
ଗ୍ରାମୀଣ ଉପଭୋକ୍ତାଙ୍କ ପାଇଁ ୟୁଏଲ୍ଏ ମଡେଲ ବିଶେଷ ଭାବରେ ସହାୟକ ହେବ। ଏହି ଯୋଜନାରେ ଏକ କିଲୋୱାଟ କ୍ଷମତାର ସୌର ପ୍ୟାନେଲ ସ୍ଥାପନ କରିଲେ ପ୍ରତିମାସ ପ୍ରାୟ ୧୦୦ୟୁନିଟର ସୌର ବିଜୁଳି ଶକ୍ତି ଉତ୍ପାଦିତ ହୋଇପାରିବ। ଏଥିସହିତ ପ୍ରତିବର୍ଷ ପ୍ରାୟ ୫ହଜାର ଟଙ୍କାର ସଞ୍ଚୟ କରିବାରେ ଉପଭୋକ୍ତାମାନେ ସମର୍ଥ ହୋଇ ପାରିବେ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ୟୁଏଲ୍ଏ ମଡେଲ ବିଜୁଳି ବିଲ୍ ହ୍ରାସ କରିବା ଓ ସବୁଜ ଶକ୍ତିକୁ ଆପଣେଇବା ପାଇଁ ଏକ ପ୍ରମୁଖ ମାଧ୍ୟମ। ଯାହା ଗ୍ରାମୀଣ ଉପଭୋକ୍ତାଙ୍କୁ ଉଭୟ ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ କରିବ।
ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଭାରତର ସୌର ଯାତ୍ରାରେ ଦକ୍ଷିଣ ଓଡ଼ିଶାର ପ୍ରତିଟି ଘରକୁ ସାମିଲ କରିବା ହେଉଛି ଆମର ଲକ୍ଷ୍ୟ। ଭାଟକୁମରଡ଼ା ଗାଁର ଏହି ସଫଳତା ଦର୍ଶାଉଛି ଯେ କିପରି ଭାବେ ଗ୍ରାମୀଣ ଉପଭୋକ୍ତାମାନେ ସ୍ୱଚ୍ଛ ଏବଂ ସବୁଜ ଶକ୍ତିକୁ ଆପଣେଇବା ପାଇଁ ଉତ୍ସାହ ଓ ଆଗ୍ରହର ସହିତ ଇଚ୍ଛା ପ୍ରକାଶ କରୁଛନ୍ତି। ଶକ୍ତି କ୍ଷେତ୍ରରେ ଉପଭୋକ୍ତାଙ୍କୁ ଆତ୍ମନିର୍ଭର କରିବା ଏବଂ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ସମସ୍ତ ସହାୟତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଟିପିଏସ୍ଓଡିଏଲ୍ ସମସ୍ତ ସହାୟତା ଯୋଗାଇବା ପାଇଁ ପ୍ରତିବଦ୍ଧ ଅଟେ”
ଭାଟକୁମରଡ଼ା ଗାଁରେ ନିଆଯାଇଥିବା ଏହି ପଦକ୍ଷେପ ଟିପିଏସ୍ଓଡିଏଲର ଏକ ସ୍ଥାୟୀ ବିକାଶକୁ ସମର୍ଥନ କରିବା ଓ ଗ୍ରାମୀଣ ଉପଭୋକ୍ତାଙ୍କୁ ସଶକ୍ତ କରିବା ଦିଗରେ ଥିବା ପ୍ରତିବଦ୍ଧତାକୁ ଦର୍ଶାଇଥାଏ ଯାହା—ଏକ ସବୁଜ, ଉଜ୍ଜ୍ୱଳ ଏବଂ ବିକଶିତ ଓଡ଼ିଶାର ପଥ ପ୍ରସ୍ତୁତି କରିବାରେ ସହାୟକ ହେବ।