
ବୌଦ୍ଧ : ସରୁନି ଦୁଃଖ । କେବେ ଅନ୍ତ ହେବ ଗାଁର ଦୁର୍ଦ୍ଦଶା । ୬କିଲୋମିଟର ବାଟ ବାଇକରେ ବୁହା ହେଲା ମରଶରୀର । ରାସ୍ତାର ଦୁର୍ଦ୍ଦଶା ପାଇଁ ଗାଁ କୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ପଞ୍ଚାୟତର କାଚପାଜୁ ଗାଁରେ ଦେଖିବା ପାଇଁ ମିଳିଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଡେଣିଗଡ଼ ପଞ୍ଚାୟତ କାଚପାଜୁ ଗାଁର ଦୁତିଆ ବେହେରାଙ୍କ ପତ୍ନୀ ସୁନାମତି ବେହେରାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଅଡେଣିଗଡ଼ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ପରିବାର ଲୋକେ । ସକାଳେ ଚିକିତ୍ସାଧିନ ଅବସ୍ଥାରେ ସୁନାମତିଙ୍କ ମୃତ୍ୟୁ ହୋଇଥିଲା ।
ପରିବାର ଲୋକେ ମହାପ୍ରୟାଣ ଗାଡ଼ି ଯୋଗେ ନିଜ ଘରକୁ ଆଣୁଥିବା ବେଳେ କାଚପାଜୁ ଗାଁଠାରୁ ୬କିଲୋମିଟର ଦୂରରେ ଗାଡି ଆଗକୁ ଆସି ପାରି ନଥିଲା । ଏକ ନାଳ ପଡିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ମହାପ୍ରଣାୟ ଗାଡି ସେଠାରେ ଅଟକିବା ସହ ଆଗକୁ ଯିବା ଅସମ୍ଭବ ହୋଇଥିଲା ।
ଫଳରେ ମୃତଦେହକୁ ସେଠାରେ ଓହ୍ଲାଇଥିଲେ ପରିବାର ଲୋକେ । ଗ୍ରାମବାସୀ ଓ ପରିବାର ଲୋକେ ଅତି କଷ୍ଟରେ ବାଇକ ଯୋଗେ ଶବକୁ ଦୀର୍ଘ ୬ କିମି ପାହାଡ଼ିଆ ଘାଟି ରାସ୍ତାରେ ଗାଁକୁ ନେଇଥିଲେ । ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡନ ଖେଳିଯାଇଥିବା ବେଳେ ପ୍ରଶାସନ ଓ ସରକାରଙ୍କ ବିକାଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।