ଆଶାକର୍ମୀଙ୍କ ଧାରଣା ସ୍ଥଗିତ: ୧୦ ଦିନ ପରେ ନେତା ଓ ପ୍ରଶାସନ ହାର ମାନିଲେ

youtube

ଉମରକୋଟ : ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ଧାରଣା ୧୦ ଦିନ ପରେ ଶେଷ ହୋଇଛି। ଗତ ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଶେଷରେ ଜିଲ୍ଲା ପ୍ରଶାସନ ଓ ନେତାମାନେ ଆଶାକର୍ମୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି।

ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁଙ୍କ ସହ ହୋଇଥିବା ଏକ ଦୀର୍ଘ ଆଲୋଚନାରେ ସଂଘର ମୁଖ୍ୟ ଦାବିଗୁଡ଼ିକ ଉପରେ ସହମତି ପ୍ରକାଶ ପାଇଛି। ଉମରକୋଟ ବ୍ଲକର ଆଶାକର୍ମୀ ଦମୟନ୍ତି ଭତରାଙ୍କ ମୃତ୍ୟୁ ଘଟଣା ଉପରେ ଜିଲ୍ଲାପାଳ ଗଭୀର ଦୁଃଖ ପ୍ରକାଶ କରିବା ସହ ତଦନ୍ତ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବିବରଣୀ ପଠାଯାଇଛି ଏବଂ ରାଜ୍ୟସ୍ତରୀୟ କମିଟି ଦ୍ୱାରା ତଦନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି।

ପ୍ରାଥମିକ ପଦକ୍ଷେପ ଭାବରେ, ଉମରକୋଟ ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସାଗରିକା ସ୍ୱାଇଁଙ୍କ ଡେପୁଟେସନ ବାତିଲ କରି ତାଙ୍କୁ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଛି। ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଯେ, ଯେଉଁ ଦାବିଗୁଡ଼ିକ ଜିଲ୍ଲାସ୍ତରରେ ପୂରଣ କରିବା ସମ୍ଭବ, ସେଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରାଯିବ। ଅନ୍ୟାନ୍ୟ ଦାବି ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସେ ଆଶାକର୍ମୀଙ୍କୁ ସବୁବେଳେ ସହଯୋଗ ଜାରି ରଖିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଧାରଣାରେ ଆଶାକର୍ମୀମାନଙ୍କର ମୁଖ୍ୟ ଦାବିଗୁଡ଼ିକ ଥିଲା: ଡାକ୍ତର ସାଗରିକା ସ୍ୱାଇଁଙ୍କୁ ନିଲମ୍ବନ ଓ ଗିରଫ, ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀ ଭାବରେ ଘୋଷଣା, ମାସିକ ବେତନ ୨୪,୦୦୦ ଟଙ୍କା, ଦୁର୍ଘଟଣାଜନିତ ମୃତ୍ୟୁରେ ୧୦ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁରେ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ପେନସନ ଓ ବିଶ୍ରାମଗୃହ ସୁବିଧା ଇତ୍ୟାଦି।

ଆଲୋଚନା ସଭାରେ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଭାରତୀୟ ମଜଦୁର ସଂଘର ଜିଲ୍ଲା ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ, ସମ୍ପାଦିକା ଗୀତାଞ୍ଜଳି ହରିଜନଙ୍କ ସହ ଜିଲ୍ଲା ଓ ବ୍ଲକ ସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।

୧୦ ଦିନ ଧରି ଚାଲିଥିବା ଏହି ଧାରଣା ପରେ ଶେଷରେ ଆଶାକର୍ମୀ ସଂଘ ନିଜ ଆନ୍ଦୋଳନକୁ ସ୍ଥଗିତ ରଖିଛି।

Leave A Reply

Your email address will not be published.