
ମାଲକାନଗିରି : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସେ ନିଜ ଉଦ୍ବୋଧନରେ କହିଥିଲେ ଯେ, ସର୍ଦ୍ଦାର ପଟେଲ ଜୀ ଦେଶର ଏକତା ଓ ଅଖଣ୍ଡତାର ପ୍ରତୀକ ଥିଲେ, ତେଣୁ ତାଙ୍କ ଜନ୍ମବାର୍ଷିକୀ ଦିନଟିକୁ ସମ୍ପୂର୍ଣ୍ଣ ଜନସହଭାଗୀ ଉତ୍ସବ ଭାବେ ପାଳନ କରାଯିବ। ଏହି ବୈଠକରେ ଜିଲ୍ଲା ସାଂସଦଙ୍କ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ସଂସ୍କୃତି ଅଧିକାରୀ ସଂତ୍ରାସ ନାରାୟଣ ପଣ୍ଡା, କ୍ରିଡା ଅଧିକାରୀ, ଏବଂ ଜିଲ୍ଲା ବିଜେପିର ବରିଷ୍ଠ ନେତା ଭବାନୀ ଶଙ୍କର ମୁଖାର୍ଜୀ ଓ ମାଣିକ ଚକ୍ରବର୍ତୀ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ନଭେମ୍ବର ୧୧ ତାରିଖରେ ଜିଲ୍ଲାରେ ଆୟୋଜିତ ହେବ। ଏହି ଅବସରରେ ଏମଭି-୭ ଗ୍ରାମ ଠାରୁ ମାଲକାନଗିରି ସଦର ସ୍ଥିତ ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଆୟୋଜନ କରାଯିବ। ପଦଯାତ୍ରା ମଧ୍ୟରେ ପ୍ରତ୍ୟେକ ଦୁଇ କିଲୋମିଟର ଅନ୍ତରରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସରକାରୀ ଯୋଜନାର ଷ୍ଟଲଗୁଡ଼ିକ ସଜାଯିବ। ଏହି ପଦଯାତ୍ରାରେ ସାଂସଦ ବଳଭଦ୍ର ମାଝି, ବିଭିନ୍ନ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ପ୍ରାୟ ୫,୦୦୦ରୁ ଅଧିକ ଲୋକଙ୍କ ଯୋଗଦାନ ହେବ ବୋଲି ଆଶା କରାଯାଉଛି। ଜିଲ୍ଲାପାଳ କାର୍ଯ୍ୟାଳୟ ଏହି ଅବସରକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ସମସ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛନ୍ତି।