
ନୂଆଦିଲ୍ଲୀ : ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ଶ୍ବାସରୋଗୀଙ୍କ ବ୍ୟତୀତ ଗର୍ଭବତୀଙ୍କୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଡାକ୍ତରଙ୍କ କହିବା ଅନୁଯାୟୀ ବାୟୁ ଓ ଶବ୍ଦ ପ୍ରଦୂଷଣର ମିଶ୍ରିତ ପ୍ରଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। ଚଳିତ ଦୀପାବଳିରେ ଦିଲ୍ଲୀରେ କେବଳ ସବୁଜ ବାଣ ବ୍ୟବହାର କରାଯିବ ବୋଲି ସୁପ୍ରିମକୋର୍ଟ କଡା ନିର୍ଦେଶ ଦେଇଥିଲେ। ଏହାସତ୍ତ୍ବେ ସହରରେ ପାରମ୍ପରିକ ବାଣ ବହୁମାତ୍ରାରେ ବ୍ୟବହୃତ ହୋଇଥିଲା। ଅତ୍ୟଧିକ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହେବାରୁ ଦୀପାବଳି ପରେ ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ସାଂଘାତିକ ହୋଇପଡିଥିଲା। ଏପରିକି ଦୀପାବଳି ପରଦିନ ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ଭାବେ କୁଖ୍ୟାତିଲାଭ କରିଥିଲା। ଛାତିରୋଗ ଏବଂ ପ୍ରସୂତି ବିଭାଗ ଡାକ୍ତରଙ୍କ ସୂଚନା ମୁତାବକ ଅକ୍ଟୋବର ୨୦ରୁ ୨୩ ମଧ୍ୟରେ ଶ୍ବାସରୋଗୀ ଓ ଗର୍ଭବତୀ ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଦୂଷିତ ବାୟୁମଣ୍ଡଳକୁ ଦୃଷ୍ଟିରେ ରଖି ବୟସ୍କ ଓ ଶିଶୁଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିରୁ ବର୍ତ୍ତିବାକୁ ଦିଲ୍ଲୀରେ ବର୍ତ୍ତମାନ ଏୟାର ପ୍ୟୁରିଫାୟର ଅଧିକ ସଂଖ୍ୟାରେ ବିକ୍ରି ହେଉଥିବା ଜଣାପଡିଛି। ବର୍ତ୍ତମାନ ଶୀତର ଆଗମନ ଘଟିସାରିଛି। ବାୟୁମଣ୍ଡଳ ଆପାତତଃ ସ୍ଥିର ରହୁଥିବାବେଳେ ବାଣଫୁଟାରୁ ନିର୍ଗତ ଧୂଆଁ ପ୍ରଦୂଷଣ କଣିକାଗୁଡିକୁ ଅଧିକ ମାତ୍ରାରେ ସକ୍ରିୟ କରୁଥିବା ଡାକ୍ତର କହିଛନ୍ତି। ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିଲେ ଏନ୯୫ ମାସ୍କ୍ ପରିଧାନ କରିବା ସହ ସାଙ୍ଗରେ ଇନ୍ହେଲର ରଖିବାକୁ ମଧ୍ୟ ଶ୍ବାସରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳା ବାୟୁ ପ୍ରଦୂଷଣର ଶିକାର ହେଲେ ଏହା ସେମାନଙ୍କର ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଆଗାମୀ ସପ୍ତାହରେ କୃତ୍ରିମ ବର୍ଷା କରାଇବାକୁ ଯୋଜନା ଚଳାଇଛନ୍ତି।