ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍ : ନିର୍ବାଚନୀ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ

youtube

ବ୍ରହ୍ମପୁର: ଅଡ଼ୁଆରେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସ୍ ପିଙ୍କୁ ଜବାବ ମାଗିଲେ ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସ୍ ପି ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅଦାଲତ । ନିର୍ବାଚନୀ ମାମଲା ବିଚାରାଧୀନ ଥିବା ବେଳେ SPଙ୍କ ବୟାନକୁ କୋର୍ଟ କଡ଼ା ନିନ୍ଦା କରିଛନ୍ତି । ଏସପିଙ୍କ ବିବୃତି କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୭ ତାରିଖ ସୁଦ୍ଧା ଲିଖିତ ଜବାବ ମାଗିଛନ୍ତି ହାଇକୋର୍ଟ । ବିଚାରପତି ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ମନୋଜ ପଣ୍ଡା ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଥିଲେ ଯେ, ଗତ ଅକ୍ଟୋବର ୨୨ରେ ରେଳ ଷ୍ଟେସନରୁ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ପୋଲିସ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା । ବ୍ରହ୍ମପୁର ନିର୍ବାଚିତ ବିଧାୟକଙ୍କ ବିରୋଧରେ ସେ କେମିତି ମାମଲା କଲେ ବୋଲି ତାଙ୍କୁ ପଚରାଯାଇଥିଲା । ଅନ୍ୟପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି କହିଥିଲେ, ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ରହିଛି । ଏହି ନିର୍ବାଚନ ମାମଲା ଶିବଶଙ୍କର ଦାସ ନାମରେ ଦାଖଲ ହୋଇଥିଲା । କିନ୍ତୁ ତାହାକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆର୍ଥିକ ସହାୟତା ଦେଇଥିଲେ । ଅଦାଲତ କହିଛନ୍ତି, ନ୍ୟାୟିକ ମାମଲା ବିଚାରାଧୀନ ଥିବାବେଳେ ପୋଲିସ ଅଧିକାରୀଙ୍କ ସାର୍ବଜନୀନ ଟିପ୍ପଣୀ ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.