ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ଦଳାଚକଟାରେ ଆହତ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

newyr25

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି, ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହା ସହ ପ୍ରଧାନମନ୍ତ୍ରୀ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

ଖବର ଅନୁଯାୟୀ, କାର୍ତ୍ତିକ ମାସ ଏକାଦଶୀ ଥିବାରୁ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ହଠାତ୍ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରୁ ଦଳାଚକଟା ହୋଇଥିଲା। ଭିଡ଼ ଏତେ ଅଧିକ ଥିଲା ଯେ ଲୋକମାନେ ପରସ୍ପର ଉପରେ ଚଢ଼ିଯାଉଥିଲେ । ଫଳରେ ଭିଡ ଅଣାୟତ୍ତ ହୋଇପଡିଥିଲା । ଶ୍ବାସରୁଦ୍ଧ ହୋଇ ଅଧିକାଂଶ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମନ୍ଦିର ପାଇଁ ପୋଲିସ ଠାରୁ ଅନୁମତି ନିଆଯାଇନଥିଲା । ଏପରିକି କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା । ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛ ନ୍ତି। ଆହତମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶ୍ରୀକାକୁଲମ ଜିଲ୍ଲାର କାଶିବୁଗାରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ଘଟଣାରେ ମୁଁ ଗଭୀର ମର୍ମାହତ । ଏହି ଦୁଃଖଦ ଘଟଣାରେ ଭକ୍ତଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ । ମୁଁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି ।”

Leave A Reply

Your email address will not be published.