
ମେକ୍ସିକୋ : ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ସେନବାଉମ୍ ପୀଡିତଙ୍କ ପରିବାରକୁ ସହାୟତା ଯୋଗାଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ‘ଡେ ଅଫ୍ ଦ ଡେଡ୍’ ଉତ୍ସବ ପାଳନ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଉତ୍ସବରେ ପରିବାରବର୍ଗ ସେମାନଙ୍କ ଦିବଂଗତ ପ୍ରିୟଜନଙ୍କୁ ମନେ ପକାଇଥାନ୍ତି । ଏହି ଦୁର୍ଘଟଣା ଉତ୍ସବକୁ ଦୁଃଖରେ ପରିଣତ କରିଥିଲା । ହର୍ମୋସିଲୋ ସହରର ଡିସକାଉଣ୍ଟ କାଉଣ୍ଟରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧୂଆଁ ବ୍ୟାପିବାରୁ ଅଧିକାଂଶ ଲୋକଙ୍କର ନିଶ୍ବାସ ନେବାରେ ଅସୁବିଧା ହେବା ଯୋଗୁଁ ମୃତ୍ୟୁ ଘଟିଛି ଯାହା ଆଟର୍ଣ୍ଣି ଜେନେରାଲ ଗୁସ୍ତାଭା ସାଲାସ କହିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଯେ, ଫୋରେନସିକ୍ ଟିମ୍ ମୃତଦେହଗୁଡ଼ିକର ଯାଞ୍ଚ ଆରମ୍ଭ କରିଛନ୍ତି । ବୈଦ୍ୟୁତିକ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି । ଏହାରି ମଧ୍ୟରେ ବିସ୍ଫୋରଣ ଘଟିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ସହରର ଅଗ୍ନିଶମ ବାହିନୀର ମୁଖ୍ୟ କହିଛନ୍ତି । କିନ୍ତୁ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ହର୍ମୋସିଲୋର ପୌରପାଳିକା ସ୍ପଷ୍ଟ କରିଛନ୍ତି ।
ଏହାରି ମଧ୍ୟରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସାନୋରାର ରାଜ୍ୟପାଳ ଆଲଫୋନ୍ସୋ ଡୁରାଜୋ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସୋସିଆଲ ମିଡିଆରେ ଏକ ଭିଡିଓ କରି ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ରାଜ୍ୟପାଳଙ୍କ ସମେତ ମେକ୍ସିକୋର ରାଷ୍ଟ୍ରପତି Xରେ ପୋଷ୍ଟ କରି ପରିବାର ପ୍ରତି ସେ ମଧ୍ୟ ସମବେଦନା ଜଣାଇଛନ୍ତି ।
ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ୪୦ ଜଣ ଟିମ୍ ସଦସ୍ୟ ଏବଂ ୧୦ ଟି ଆମ୍ବୁଲାନ୍ସ ପହଞ୍ଚିଛି । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ଅଗ୍ନିଶମ ବାହିନୀ ଟିମ୍ । କିନ୍ତୁ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କ ସନ୍ଧାନ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।