କୋଟପାଡ଼ରେ ବେଆଇନ ମୁରୁମ ଚାଲାଣ: ପ୍ରାକୃତିକ ସମ୍ପଦ ନଷ୍ଟ, ରାଜସ୍ୱ ହାନି

add-all

କୋଟପାଡ଼ : କୋରାପୁଟ ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ଥିବା କୋଟପାଡ଼ ତହସିଲ ଅନ୍ତର୍ଗତ ବିଭିନ୍ନ ସରକାରୀ ଜମି, ବନ୍ଧହୁଡ଼ା ଏବଂ ଜଙ୍ଗଲ ଜମିରୁ ବେଆଇନ ଭାବେ ମୁରୁମ ଚାଲାଣ ନିରନ୍ତର ଜାରି ରହିଛି। ଏହି ବେଆଇନ କାର୍ଯ୍ୟକଳାପ ରାଜସ୍ୱ ବିଭାଗ କିମ୍ବା ଲଘୁ ଖଣିଜ ଅଧିକାରୀଙ୍କ ଦୃଷ୍ଟିକୁ ଆସୁନଥିବା ଜଣାପଡ଼ିଛି।

ଢାମନାହାଣ୍ଡି ରାଜସ୍ୱ ଅଞ୍ଚଳର ନାରାହାଣ୍ଡି ଡଙ୍ଗରି, ଚିତ୍ରା ରାଜସ୍ୱ ଅନ୍ତର୍ଗତ କୁମୁଣ୍ଡା ଡଙ୍ଗରି, ମଲଚାମାଲର ମଜୁର ଡଙ୍ଗରି ଏବଂ ଘୁମର ରାଜସ୍ୱ ଅଞ୍ଚଳର ଠୋଟିଆଗୁଡ଼ା ନିକଟ ଜଙ୍ଗଲ ଜମି ଭଳି ଅନେକ ସ୍ଥାନରୁ ବ୍ୟାପକ ମାତ୍ରାରେ ମୁରୁମ ଚାଲାଣ ହେଉଛି। କେତେକ ସ୍ଥାନରେ ସୁରକ୍ଷିତ ଜଙ୍ଗଲରେ ଥିବା ଗଛଗୁଡ଼ିକୁ କାଟି ଟ୍ରାକ୍ଟର ଓ ଟିପ୍ପର ସାହାଯ୍ୟରେ ମୁରୁମ ଉଠାଯାଉଛି। ଏପରିକି ସରକାରୀ ବନ୍ଧହୁଡ଼ାରୁ ମଧ୍ୟ ମୁରୁମ ଚାଲାଣ ହେଉଥିବାର ନଜିର ରହିଛି।

ଏ ବିଷୟରେ କନିଷ୍ଠ ଖଣିଜ ଅଧିକାରୀ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନେ ଏ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି।

ଏହି ବେଆଇନ ଖଣିଜ ଉତ୍ତୋଳନ ଯୋଗୁଁ ଅଞ୍ଚଳର ପ୍ରାକୃତିକ ସମ୍ପଦ ନଷ୍ଟ ହେବା ସହ ପରିବେଶ ପ୍ରଭାବିତ ହେଉଛି। ଅପରପକ୍ଷରେ, କିଛି ମୁଷ୍ଟିମେୟ ଅସାଧୁ ବ୍ୟବସାୟୀ ଏଥିରୁ ମାଲେମାଲ ହେଉଥିବା ବେଳେ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନିର ସମ୍ମୁଖୀନ ହେଉଛନ୍ତି।

ସାଧାରଣରେ ମତ ପ୍ରକାଶ ପାଉଛି ଯେ, ଜିଲ୍ଲା ପ୍ରଶାସନ ଏ ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କଲେ ଅଞ୍ଚଳର ପରିବେଶ ସୁରକ୍ଷିତ ରହିବା ସହ ରାଜସ୍ୱ ହାନିରୁ ମଧ୍ୟ ରକ୍ଷା ମିଳିପାରିବ।

ad-week
Leave A Reply

Your email address will not be published.