
ଏସ୍ଏଚଜି ମହିଳାଙ୍କ ନେତୃତ୍ୱରେ ଟିପିଏସ୍ଓଡିଏଲର ବିଦ୍ୟୁତ ବିଲ୍ ସଂଗ୍ରହ ହୋଇଛି ସଫଳ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ତଥା ଯେଉଁଠାରେ ପାହାଡ଼, ନଦୀ, ଧାନକ୍ଷେତ ଏବଂ ଅପହଞ୍ଚ ଗାଁ’ରେ ବିଜୁଳି ତାର ସଂଯୋଗ ହୋଇଛି ସେଠାରେ ଏବେ ଏକ ନୂଆ ଶକ୍ତି ନେତୃତ୍ୱ ନେଉଛି। ଆଉ ତାହା ହେଉଛି ମହିଳା ଶକ୍ତି। ମେସିନ୍ ନୁହେଁ ସ୍ମାର୍ଟ ଫୋନ୍, ରସିଦ ବହି ଏବଂ ଦୃଢ଼ ସଂକଳ୍ପକୁ ପାଥେୟ କରି ଏବେ ତୃଣମୂଳ ସ୍ତରରୁ ଶତାଧିକ ଗ୍ରାମୀଣ ମହିଳା ଓଡ଼ିଶାର ବିଦ୍ୟୁତ ନେଟୱର୍କକୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ର ଅଭିନବ ପ୍ରୟାସ ଯୋଗୁଁ ଏବେ ଦକ୍ଷିଣ ଓଡ଼ିଶାର ପାଞ୍ଚଟି ଜିଲ୍ଲାର ବିଦ୍ୟୁତ ବିଲ୍ ଆଦାୟ କ୍ଷେତ୍ରରେ ପ୍ରାୟ ୩୭୯ଟି ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ର ମହିଳାମାନେ ନିଜକୁ ନିୟୋଜିତ କରିପାରିଛନ୍ତି। ଯାହା ସଶକ୍ତିକରଣ, ଉତ୍ତରଦାୟିତ୍ୱ, ସମାବେଶୀ ବିକାଶ ଏବଂ ଡିଜିଟାଲ ପ୍ରଗତି କ୍ଷେତ୍ରରେ ଏକ ନିରବ ବିପ୍ଳବ ସୃଷ୍ଟି କରି ପାରିଛି।
ଏକ କ୍ଷୁଦ୍ର ପାଇଲଟ୍ ପ୍ରୋଜେକ୍ଟ ଭଳି ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ଏବେ ଗ୍ରାମୀଣ ଭାଗୀଦାରୀ କ୍ଷେତ୍ରରେ ଏକ ବିଶେଷ ମଡେଲ ଭାବରେ ପରିଣତ ହୋଇସାରିଛି। ଏହି ୩୭୯ଜଣ ମହିଳା ୩୭୯ଟି ଏସ୍ଏଚଜି ଗ୍ରୁପର ପ୍ରତିନିଧିତ୍ଵ କରୁଛନ୍ତି। ଯେଉଁମାନେ କି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାରେ ସକ୍ରିୟ ହୋଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି। କେବଳ ଗଞ୍ଜାମ ଜିଲ୍ଲାରେ ୨୯୧ ଏସ୍ଏଚଜି ମହିଳା ଗୋଷ୍ଠୀ ବିଲ୍ ଆଦାୟ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଗଜପତିରେ ୬୩, ରାୟଗଡ଼ାରେ ୧୫, ବୌଦ୍ଧରେ ୮ ଏବଂ କନ୍ଧମାଳରେ ୨ଟି ଗୋଷ୍ଠୀ ଏଥିରେ ସାମିଲ ଅଛନ୍ତି। ପ୍ରତିଟି ଗ୍ରୁପ ଏକ ଏକ ରୂପାନ୍ତରଣର କାହାଣୀ କହେ। ଆଉ ତାହା ହେଉଛି ଜଣେ ଗୃହିଣୀ କେମିତି ବୃତ୍ତିଗତ ଜୀବନରେ ସାମିଲ ହୋଇ ପେସାଦାର ଜୀବନ ଜିଇଁ ନିଜ ସମୁଦାୟରେ ଏକ ଉଦାହରଣ ଭାବେ ଉଭା ହେବା।
ଏହି ମହିଳାମାନଙ୍କ ସହଭାଗିତା ପ୍ରେରଣାଦାୟୀ । ଗତ ତିନି ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଲ୍ ଆଦାୟର କଭରେଜ ୬୭ ପ୍ରତିଶତରୁ ବଢ଼ି ୮୦ପ୍ରତିଶତରେ ପହଞ୍ଚିଛି। ଯାହା ଯୋଗୁଁ ବିଦ୍ୟୁତ ବିଲ୍ ଆଦାୟର ଦକ୍ଷତା ୮୨ ପ୍ରତିଶତରୁ ବୃଦ୍ଧି ପାଇ ୧୦୫ପ୍ରତିଶତରେ ପହଞ୍ଚି ପାରିଛି। ସେହିଭଳି ଏହି ମହିଳାମାନଙ୍କ ଯୋଗଦାନ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ମଧ୍ୟ ଏକ ପରିବର୍ତ୍ତନ ଆଣିଛି। ତିନିବର୍ଷ ପୂର୍ବେ ଯେଉଁଠାରେ ମାତ୍ର ୨୦୦୦ ଉପଭୋକ୍ତା ଡିଜିଟାଲ ମାଧ୍ୟମରେ ବିଲ୍ ପୈଠ କରୁଥିଲେ ଏବେ ସେ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି। ପ୍ରତି ମାସ ପ୍ରାୟ ୧୫ହଜାର ଉପଭୋକ୍ତା ଡିଜିଟାଲ ମାଧ୍ୟମରେ ଏସ୍ଏଚଜି ମହିଳାଙ୍କ ସହାୟତାରେ ବିଲ୍ ପୈଠ କରୁଛନ୍ତି। ଟିପିଏସ୍ଓଡିଏଲ୍ ତରଫରୁ ଡିଜିଟାଲ ସାକ୍ଷରତା କ୍ଷେତ୍ରରେ ଦିଆଯାଉଥିବା ପ୍ରଶିକ୍ଷଣ ଯୋଗୁଁ ବିଲ୍ ଆଦାୟରେ ସାମିଲ ହୋଇଥିବା ମହିଳାମାନେ ଡିଜିଟାଲ ଟ୍ରାନଜାକସନ ବାବଦରେ ଜାଣି ପାରିଛନ୍ତି ଯାହା ଗ୍ରାମାଞ୍ଚଳକୁ ଆର୍ଥିକ ଭାବରେ ସଂଯୋଗ କରୁଥିବା ବେଳେ ପ୍ରଯୁକ୍ତିଗତ ଭାବେ ସଚେତନ ହେବାରେ ସହାୟକ ହୋଇ ପାରୁଛି।
ମହିଳାମାନଙ୍କର ଏହି ଅଭୂତପୂର୍ବ ଯାତ୍ରା ଫଳରେ ଏବେ ସେମାନେ ମାସିକ ପ୍ରାୟ ୬କୋଟି ଟଙ୍କା ବିଦ୍ୟୁତ ବିଲ୍ ଆଦାୟ କରିବାରେ ସମର୍ଥ ହୋଇ ପାରିଛନ୍ତି। ଯାହା ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ବଣ୍ଟନ ସେବାକୁ ଆର୍ଥିକ ସ୍ତରରେ ସୁଦୃଢ଼ କରିଛି ଏବଂ ଆର୍ଥିକ ସ୍ଥିରତା ଆଣିଛି। ବହୁ ଦୂରଗାମୀ ଏବଂ ଦୁର୍ଗମ ଅଞ୍ଚଳରେ ଏହି ମହିଳାମାନେ ଟିପିଏସ୍ଓଡିଏଲର ଚେହେରା ସାଜି ପାରିଛନ୍ତି। ଯେଉଁମାନେ କି ସେମାନଙ୍କ ନିକଟରେ ସଦା ପରିଚିତ ଏବଂ ତାଙ୍କ ପାଖରେ ସହଜରେ ପହଞ୍ଚି ପାରିଛନ୍ତି ଏବଂ ଉପଭୋକ୍ତାଙ୍କ ବିଶ୍ୱାସଭାଜନ ହୋଇ ପାରିଛନ୍ତି |
ଗତ ମାସ ଗୁଡ଼ିକରେ ବିଲ୍ ସଂଗ୍ରହର ତଥ୍ୟ ନିଶ୍ଚିତ ଭାବରେ ଏକ ନିରବଚ୍ଛିନ୍ନ ପ୍ରୟାସ ଓ ନିଷ୍ଠାର ବାର୍ତ୍ତା ପ୍ରେରଣ କରୁଛି । ଯାହା ଏସ୍ଏଚଜି ମହିଳାମାନଙ୍କ ଯୋଗୁଁ ସମ୍ଭବପର ହୋଇ ପାରିଛି। ସାଧାରଣତଃ ଅନ୍ୟ ମାସଗୁଡ଼ିକ ଅପେକ୍ଷା ଜୁନ୍ ମାସରେ ବିଦ୍ୟୁତ ବିଲ୍ ଦେୟର ସଂଗ୍ରହ ଅଧିକ ହୋଇଥାଏ। ଏହି କ୍ଷେତ୍ରରେ ନିରନ୍ତର ଫଳାଫଳ ମହିଳାମାନଙ୍କର ଉଲ୍ଲେଖନୀୟ ଶୃଙ୍ଖଳା ଓ ନିୟୋଜନକୁ ପ୍ରତିଫଳିତ କରେ। ଏହାସହିତ ବିଦ୍ୟୁତ ବିଲ୍ ସଂଗ୍ରହ କେବଳ ଟଙ୍କା ନେଣଦେଣ ଭିତରେ ସୀମିତ ନୁହେଁ ବରଂ ଡିଜିଟାଲ ଅନ୍ତର୍ଭୁକ୍ତି ଦିଗରେ ଏହା ଏକ ଶକ୍ତିଶାଳୀ ବାର୍ତ୍ତା ଅଟେ। ଦୂରରେ ରହିଥିବା ଅଞ୍ଚଳଗୁଡ଼ିକ ପ୍ରତି ଏହା ମଧ୍ୟ ଆର୍ଥିକ ସ୍ୱଚ୍ଛତା ଆଣି ପାରିଛି।
ଏହି ଏସ୍ଏଚଜି ମହିଳାଙ୍କ ଯୋଗଦାନ କେବଳ ବିଦ୍ୟୁତ ବିଲ୍ ସଂଗ୍ରହରେ ସୀମିତ ନୁହେଁ। ସମୁଦାୟର ସେବାରେ ନିଜେ ଏହି ମହିଳାମାନେ ନିଃସ୍ୱାର୍ଥପରବଭାବେ ନିଜକୁ ନିୟୋଜିତ କରିପାରିଛନ୍ତି। ସେମାନେ ନୂଆ ଗ୍ରାହକଙ୍କୁ ଚିହ୍ନଟ କରିବା, ବିଦ୍ୟୁତ ସଂଯୋଗଗୁଡ଼ିକୁ ନିୟମିତ କରିବାରେ ସହାୟତା କରିବା, ଓ ଟିପିଏସ୍ଓଡିଏଲକୁ ନୂଆ ମିଟର ସ୍ଥାପନ, ମିଟର ବଦଳାଇବା ଓ ଲୋଡ୍ ବୃଦ୍ଧି ଭଳି କାର୍ଯ୍ୟରେ ସହାୟତା କରୁଛନ୍ତି। ଯେତେବେଳେ ଗ୍ରାହକମାନେ ବିଲିଂ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଏହି ମହିଳାମାନେ ପ୍ରଥମେ ଆଗେଇ ଆସନ୍ତି — ଉପଭୋକ୍ତାଙ୍କ କଥା ଶୁଣନ୍ତି, ବୁଝାନ୍ତି ଓ ସମାଧାନ କରିବା ସହିତ ଉପଭୋକ୍ତାଙ୍କୁ ଦରକାରୀ ସହଯୋଗ କରନ୍ତି।
ଏହି ରୂପାନ୍ତର ପଛରେ ରହିଛି ଟିପିଏସ୍ଓଡିଏଲର ନିରନ୍ତର ତାଲିମ ଓ ସାମର୍ଥ୍ୟର ବିକାଶ କ୍ଷେତ୍ରରେ ନିବେଶ। କମ୍ପାନୀ ତରଫରୁ ଡିଜିଟାଲ୍ ସାକ୍ଷରତା, ସୁରକ୍ଷିତ ଓ ବ୍ୟବସ୍ଥିତ ଭାବେ ଅର୍ଥ ପରିଚାଳନା, ଅଭିଯୋଗ ସମାଧାନ ଓ ଗ୍ରାହକ ନିୟୋଜନ ଉପରେ ପ୍ରଶିକ୍ଷଣ ଦିଆଯାଉଛି । ବହୁ ଏସ୍ଏଚଜି ମହିଳାଙ୍କ ପାଇଁ, ଏହି ତାଲିମ ତଥା ଡିଜିଟାଲ ପେମେଣ୍ଟର ବାବଦରେ ଶିକ୍ଷା ସେମାନଙ୍କର ପ୍ରଥମ ଅନୁଭୂତି ଅଟେ। । ସମୟକ୍ରମେ ଏହି ମହିଳାମାନେ ମୋବାଇଲ୍ ଆପ୍, କ୍ୟୁଆର କୋଡ୍ ଓ ଡିଜିଟାଲ୍ ପେମେଣ୍ଟ ଗେଟୱେର ବ୍ୟବହାରରେ ଦକ୍ଷ ହୋଇପାରିଛନ୍ତି ।
ମହିଳାଙ୍କ ପ୍ରୟାସକୁ ସ୍ୱୀକୃତି ଦେବା ପାଇଁ, ଟିପିଏସ୍ଓଡିଏଲ୍ ଏକ ପୁରସ୍କାର ଓ ସ୍ୱୀକୃତି (ଆର୍ ଏଣ୍ଡ ଆର୍) କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପ୍ରୋତ୍ସାହନ ବ୍ୟବସ୍ଥା କେବଳ କାର୍ଯ୍ୟଦକ୍ଷତାକୁ ଉତ୍ସାହିତ କରେ ନାହିଁ ବରଂ ଏସ୍ଏଚଜି ମହିଳାଙ୍କର ଆର୍ଥିକ ସ୍ୱାଧୀନତାକୁ ମଜବୁତ କରେ। ଅନେକଙ୍କ ପାଇଁ, ଏହି ନିୟୋଜନରୁ ଅର୍ଜିତ ଆୟ ପରିବାରର ଆୟରେ ବ୍ୟବହାର ହୋଇଥାଏ। ଯାହା ସେମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରୁଛି ।
ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “‘ଏହି ଉଦ୍ୟମର ସଫଳତା ପ୍ରମାଣ କରୁଛି ଯେ ସଶକ୍ତିକରଣ କିପରି ବିକାଶର ରାସ୍ତା ଫିଟାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଲ୍ ସଂଗ୍ରହରେ ନିୟୋଜିତ କରି ଆମେ କେବଳ ଆମର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିନାହୁଁ ବରଂ ଶତାଧିକ ଗ୍ରାମୀଣ ମହିଳାଙ୍କ ପାଇଁ ଆର୍ଥିକ ସ୍ୱାଧୀନତା ଓ ଡିଜିଟାଲ୍ ସାକ୍ଷରତା ହାସଲ କରିବାର ଏକ ମାର୍ଗ ସୃଷ୍ଟି କରିଛୁ। ଏହି ମହିଳାମାନେ ଗାଁ ସ୍ତରରେ ପ୍ରଯୁକ୍ତି, ସ୍ୱଚ୍ଛତା ଓ ବିଶ୍ୱାସକୁ ସଂଯୋଗ କରି ପରିବର୍ତ୍ତନର ପ୍ରକୃତ ବାର୍ତ୍ତାବହ ସାଜି ପାରିଛନ୍ତି ।
ଟିପିଏସ୍ଓଡିଏଲ୍ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଏହି ସହଭାଗିତା ଦକ୍ଷିଣ ଓଡ଼ିଶାରେ ଶକ୍ତି କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣି ପାରିଛି। ଯାହା ଦିନେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା ତାହା ଏବେ ଏକ ସ୍ଥାୟୀ ବ୍ୟବସ୍ଥାରେ ପରିଣତ ହୋଇ ପାରିଛି।
ସେମାନଙ୍କର କାହାଣୀ ପ୍ରମାଣ କରୁଛି ଯେ ଯେତେବେଳେ ମହିଳାମାନେ ନେତୃତ୍ୱ ନିଅନ୍ତି, ପ୍ରଗତି ଏକ ନୂଆ ଆଲୋକର ପଥରେ ଅଗ୍ରସର ହୁଏ — ଯାହା ଆତ୍ମବିଶ୍ୱାସ, ସମ୍ମାନ ଓ ଆଶାରେ ପ୍ରଜ୍ଜ୍ଵଳିତ ହୁଏ ଯାହାଦ୍ୱାରା ଜୀବନ, ଘର ଓ ସମଗ୍ର ଅଞ୍ଚଳର ଭବିଷ୍ୟତ ପ୍ରଭାବିତ ହୁଏ।