ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମର ତ୍ରୈମାସିକ ସମୀକ୍ଷା ବୈଠକ…

newyr25

“ନିର୍ଭୟା କଢ଼ି, ମୋ ଗେଲ୍ହା ଝିଅ” ଅଭିଯାନକୁ ସଠିକ ଭାବରେ ସମ୍ପାଦିତ କରିବା ପାଇଁ ଜ଼ିଲ୍ଲାପାଳଙ୍କ ପରାମର୍ଶ

ଛତ୍ରପୁର : ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅବସରରେ “ନିର୍ଭୟା କଢ଼ି, ମୋ ଗେଲ୍ହା ଝିଅ”, ଶିଶୁ ଶ୍ରମିକ ନିରାକରଣ ପାଇଁ ଜ଼ିଲ୍ଲା ଟାସ୍କ ଫୋରସ କମିଟି, ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଥା ମିଶନ ବାତ୍ସଲ୍ୟର ତ୍ରୈମାସିକ ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା ଓ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କ ସମସ୍ୟା କେମିତି ଗଂଜାମ ଜ଼ିଲ୍ଲାରୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଇପାରିବ ସେ ଦିଗରେ ସମସ୍ତଙ୍କର ସମ୍ମିଳତ ପ୍ରୟାସକୁ ଆହୁରି ଦୃଢ଼ୀଭୁତ କରିବାର ଆବଶ୍ୟକତା ରହିଛି । ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ । ସେମାନଙ୍କ ପାଇଁ ଆମେ ଭଲ ସୁଯୋଗ ଓ ସୁବିଧା ନେଇଆସୁଛେ ଅର୍ଥ ଆମେ ଆମ ରାଜ୍ୟ ଓ ଦେଶର ଭବିଷ୍ୟତକୁ ସୁଦୃଢ କରୁଛେ । ତେଣୁ, କୋମଳମତି ପିଲାମାନଙ୍କର ସମସ୍ୟାକୁ ଆନ୍ତରିକତାର ସହ ସମାଧାନ କରିବାକୁ ଜ଼ିଲ୍ଲାପାଳ ପରାମର୍ଶ ଦେବା ସହ ବିଭାଗ ଗୁଡିକର ସମ୍ମିଳିତ ସହଯୋଗ କାମନା କରିଛନ୍ତି ।

ବାଲ୍ୟବିବାହ ଓ କିଶୋରୀ ସଶକ୍ତିକରଣ ପାଇଁ କାର୍ଯ୍ୟକାରୀ ହେଉଥିବା ନିର୍ଭୟା କଢି ଅଭିଯାନକୁ ସୁଚାରୁରୂପେ ସମ୍ପାଦିତ କରିବା ପାଇଁ ସେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନୁରୂପ ଭାବରେ କନ୍ୟା ଭ୍ରୁଣହତ୍ୟାକୁ ରୋକିବା ଏବଂ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ଆଇନ କାନୁନର ଦୃଢ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଶିଶୁ ଶ୍ରମିକମାନଙ୍କର ଉଦ୍ଧାର ଓ ପୁନର୍ବାସ, ମିଶନ୍ ବାତ୍ସଲ୍ୟ ଯୋଜନାର କାର୍ଯ୍ୟାନ୍ୱୟନ, ଶିଶୁମାନଙ୍କର ରକ୍ଷଣା ବେକ୍ଷଣ କରୁଥିବା ସଂସ୍ଥା, ତା ସହିତ ସିଡବ୍ଲ୍ୟୁସି ଓ ଜେଜେବି ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ଓ ମାର୍ଗଦର୍ଶନ ଦିଆଯାଇଥିଲା ।

ଏହି ବୈଠକରେ ଶିଶୁଙ୍କ ପାଇଁ ଦିନ ଟିଏ ଅଭିଯାନ ଅଧୀନରେ ଥିବା ସମସ୍ତ କାର୍ଯ୍ୟକାରୀ କମିଟିର ସଦସ୍ୟ, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.