କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା

ବାଲିଗୁଡ଼ା : କନ୍ୟା ସନ୍ତାନର ଆଗମନରେ ପରିବାରରେ ଖେଳିବାକୁ ଥିଲା ଖୁସିର ମାହୋଲ। ହେଲେ ଖୁସିର ସେହି କ୍ଷଣ ପରିଣତ ହେଲା ଶୋକରେ। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ନବଜାତ କନ୍ୟା ସନ୍ତାନଟି ମା’କୁ ହରାଇଥିବା ବେଳେ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼।
ମୃତ ମହିଳା ଜଣକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ଗ୍ରାମର ଆଦ୍ୟାଶା ବେହେରଦଳାଇ। ସୂଚନା ଅନୁଯାୟୀ, ଶନିବାର ସକାଳେ ପ୍ରସବ ବେଦନା ହେବାରୁ ପରିବାର ଲୋକ ଓ ଆଶାକର୍ମୀଙ୍କ ସହ ଅଟୋ ଯୋଗେ ଆଦ୍ୟାଶା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ଚିକିତ୍ସାଳୟରେ ପ୍ରସବ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ତେବେ ଶିଶୁକୁ ଜନ୍ମ ଦେବା ପରେ ଆଦ୍ୟାଶା ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ମା’ଙ୍କ ମୃତ୍ୟୁ ପରେ ନବଜାତ ଶିଶୁଟି ଚିକିତ୍ସାଳୟରେ ରହିଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ ପ୍ରସବ ପରେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ଚିକିତ୍ସା ସମ୍ବନ୍ଧୀୟ ତଦନ୍ତ ପରେ ସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.